ବାଜି ରାଉତଙ୍କ ଜନ୍ମଭୂମି ନୀଳକଣ୍ଠପୁରରେ ‘ତ୍ରିରଙ୍ଗା ପଦଯାତ୍ରା’, ସାମିଲ ହେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନ/ଢେଙ୍କାନାଳ, ୧୪ ଅଗଷ୍ଟ: ଦେଶର ସର୍ବକନିଷ୍ଠ ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ଜନ୍ମସ୍ଥାନ ଭୁବନ ବ୍ଲକର ନୀଳକଣ୍ଠପୁର ଗ୍ରାମରେ ଶୁକ୍ରବାର ଆୟୋଜିତ ‘ତ୍ରିରଙ୍ଗା ପଦଯାତ୍ରା’ କାର୍ଯ୍ୟକ୍ରମରେ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।  

‘ଶହୀଦ ବାଜି ରାଉତ ସ୍ମୃତି ସ୍ତମ୍ଭ’ରେ ପୁଷ୍ପାଞ୍ଜଳି ଅର୍ପଣ କରି ଶ୍ରୀ ପ୍ରଧାନ କହିଥିଲେ ଯେ, ବାଜି ରାଉତ ଯୁବକତ୍ୱ, ତ୍ୟାଗ, ସାହସ, ଦେଶପ୍ରେମ ଓ ବଳିଦାନର ଅମର ପ୍ରତୀକ। ଅତି କମ୍ ବୟସରେ ଦେଶମାତୃକାର ସ୍ୱାଭିମାନ ରକ୍ଷା ପାଇଁ ସେ ଯେପରି ବୀରତ୍ୱ ପ୍ରଦର୍ଶନ କରିଥିଲେ, ତାହା ଆଜିର ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ ବୋଲି ସେ କହିଥିଲେ।

ସେ କହିଥିଲେ ଯେ, ବାଜି ରାଉତଙ୍କ ଜନ୍ମସ୍ଥାନକୁ କେବଳ ସ୍ମୃତିଚିହ୍ନ ଭାବେ ନୁହେଁ, ବରଂ ଆଗାମୀ ପିଢ଼ି ପାଇଁ ଏକ “ପ୍ରେରଣାର କେନ୍ଦ୍ର” ଭାବେ ବିକଶିତ କରାଯିବା ଆବଶ୍ୟକ। ଢେଙ୍କାନାଳର ସଂଗ୍ରାମୀ ପରମ୍ପରାକୁ ସ୍ମରଣ କରି ସେ ବିପ୍ଳବୀ ସାରଙ୍ଗଧର ଦାସ, ବୈଷ୍ଣବ ଚରଣ ପଟ୍ଟନାୟକ, ମୂଷା ମଲ୍ଲିକ, ମହେଶ ଚନ୍ଦ୍ର ସୁବାହୁ ସିଂହ ଏବଂ ପବିତ୍ରମୋହନ ପ୍ରଧାନଙ୍କ ଅବଦାନକୁ ମଧ୍ୟ ସ୍ମରଣ କରିଥିଲେ।

ବର୍ତ୍ତମାନ ସମୟରେ ଦେଶ ପାଇଁ ବଞ୍ଚିବା ଓ କାମ କରିବାର ଆବଶ୍ୟକତା ରହିଛି ବୋଲି କହି ଶ୍ରୀ ପ୍ରଧାନ ଯୁବପିଢ଼ିଙ୍କୁ ନିଶାରୁ ଦୂରେଇ ସ୍ୱାବଲମ୍ବୀ, ଆତ୍ମବିଶ୍ୱାସୀ ଓ କୁଶଳୀ ହେବାକୁ ଆହ୍ୱାନ ଦେଇଥିଲେ। ଟେକ୍ନୋଲୋଜିର ସଠିକ୍ ବ୍ୟବହାର କରି ସ୍ଥାନୀୟ ଉତ୍ପାଦକୁ ବିଶ୍ୱ ବଜାର ସହ ଯୋଡ଼ିବା ଦିଗରେ ଯୁବପିଢ଼ିଙ୍କୁ ଆଗେଇ ଆସିବାକୁ ସେ ପରାମର୍ଶ ଦେଇଥିଲେ।

ଢେଙ୍କାନାଳକୁ ସଂସ୍କୃତି, ଆଧ୍ୟାତ୍ମିକତା ଓ ମହିମା ଧର୍ମର ପବିତ୍ର ଭୂମି ବୋଲି ଉଲ୍ଲେଖ କରି ଶ୍ରୀ ପ୍ରଧାନ କହିଥିଲେ ଯେ, ୨୦୪୭ରେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ। ସେଥିପାଇଁ ‘ବିକଶିତ ଢେଙ୍କାନାଳ’ ଓ ‘ବିକଶିତ ଓଡ଼ିଶା’ ଗଠନରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ସ୍ଥାନୀୟ ଜନପ୍ରତିନିଧି, ବିଶିଷ୍ଟ ବ୍ୟକ୍ତିବର୍ଗ, ଯୁବସାଥୀ ଓ ବହୁ ସଂଖ୍ୟକ ସାଧାରଣ ଲୋକ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

Comments (0)
Add Comment