ଢେଙ୍କାନାଳ: ଆସନ୍ତା ଗଣେଶ ପୂଜାକୁ ଶାନ୍ତି, ଶୃଙ୍ଖଳା ଓ ଭାଇଚାରାର ସହ ପାଳନ ନିମନ୍ତେ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ୍ଠାରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି। ପୂଜା ପାଇଁ ଜୋରଜବରଦସ୍ତ ଚାନ୍ଦା ଆଦାୟ ନ କରିବା ସହ ନିଶା ସେବନରୁ ଦୂରେଇ ରହି ଶାନ୍ତିଶୃଙ୍ଖଳାର ସହ ପୂଜା ଓ ଭସାଣି ସମାପନ କରିବାକୁ ଜିଲ୍ଲାପାଳ ପୂଜା କମିଟିଗୁଡ଼ିକୁ ପରାମର୍ଶ ଦେଇଥିଲେ।
ଭସାଣି ଶୋଭାଯାତ୍ରାରେ ଭାଇବ୍ରେଟର ବ୍ୟବହାର ନ କରିବା ସହ ବୃଦ୍ଧବୃଦ୍ଧା ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଅତ୍ୟଧିକ ଶବ୍ଦ ପ୍ରଦୂଷଣ ନ କରିବାକୁ କୁହାଯାଇଥିଲା। ଭସାଣି ସମୟରେ ସମୟାନୁବର୍ତ୍ତିତା ପାଳନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ଚଳିତ ବର୍ଷ ଢେଙ୍କାନାଳ ସହରରେ ୪୦ଟି ପୂଜା ପ୍ରତିଷ୍ଠାନ ପକ୍ଷରୁ ଗଣେଶ ପୂଜା ଆୟୋଜନ ହେବ। ଅଗଷ୍ଟ ୧୪ରୁ ପୂଜା ଆରମ୍ଭ ହୋଇ ୨୧ ତାରିଖରେ ଭସାଣି ହେବ। ଭସାଣି ଦିନ ସକାଳ ୮ଟାରେ ମିନି ଷ୍ଟାଡିୟମଠାରେ ଲଟେରୀ ମାଧ୍ୟମରେ ଭସାଣିର କ୍ରମ ନିର୍ଦ୍ଧାରଣ କରାଯିବ। ଭସାଣି ଯେପରି ରାତି ୮ଟା ସୁଦ୍ଧା ଶେଷ ହେବ, ସେଥିପ୍ରତି ଧ୍ୟାନ ଦିଆଯିବ।
ପୂଜା ମଣ୍ଡପ ଓ ବିସର୍ଜନ ସ୍ଥଳରେ ପୁଲିସ ମୁତୟନ ସହ ନାଇଟ୍ ପାଟ୍ରୋଲିଂ ଓ ଅସ୍ଥାୟୀ ଆଉଟ୍ପୋଷ୍ଟ ବ୍ୟବସ୍ଥା କରାଯିବ। ଭସାଣି ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ, ଆମ୍ବୁଲାନ୍ସ ବ୍ୟବସ୍ଥା ଓ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯିବ। କୌଣସି ପ୍ରକାର ଅସାମାଜିକ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ ଓ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ବୈଠକରେ କାଠଶଙ୍ଖ, ଜେଲ୍ ପୋଖରୀ ଓ କୁଞ୍ଜକାନ୍ତ ପୋଖରୀର ବିସର୍ଜନ ସ୍ଥଳର ବ୍ୟବସ୍ଥା, ଓହଳି ପଡ଼ିଥିବା ବିଦ୍ୟୁତ୍ ତାର ସଜାଡ଼ିବା, ପରିଷ୍କାର ପରିଚ୍ଛନ୍ନତା, ପାନୀୟ ଜଳ ଯୋଗାଣ, ରାସ୍ତା ମରାମତି ଓ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ପୂଜା କମିଟି ପକ୍ଷରୁ ରେଡକ୍ରସ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ମଧ୍ୟ ସୂଚନା ଦିଆଯାଇଥିଲା।