ଢେଙ୍କାନାଳ, ୪/୮ (ନି.ପ୍ର.) : ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମସି), ଢେଙ୍କାନାଳ ପରିସରରେ ମଙ୍ଗଳବାର ଓଡ଼ିଆ ସାମ୍ବାଦିକତା ଦିବସ ଉତ୍ସାହ ଓ ଗାମ୍ଭୀର୍ଯ୍ୟର ସହ ପାଳିତ ହୋଇଯାଇଛି। ଉତ୍କଳ ଦୀପିକାର ପ୍ରଥମ ପ୍ରକାଶନ ଦିବସକୁ ସ୍ମରଣ କରି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସଂସ୍ଥାନ ପକ୍ଷରୁ ଏହି ଦିବସ ପାଳନ କରାଯାଇଥିଲା।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୈନିକ ଧରିତ୍ରୀ’ର ଜିଲ୍ଲା ପ୍ରତିନିଧି ରତନ ନାୟର କହିଥିଲେ ଯେ, ମୁଦ୍ରିତ ଗଣମାଧ୍ୟମର ଗୁରୁତ୍ୱ କେବେ ବି କମିନାହିଁ ଏବଂ ଭବିଷ୍ୟତରେ ମଧ୍ୟ ଏହାର ପ୍ରାସଙ୍ଗିକତା ଅତୁଟ ରହିବ। ସେ ଓଡ଼ିଆ ଗଣମାଧ୍ୟମର ବିକାଶରେ *’ଉତ୍କଳ ଦୀପିକା’**ର ଐତିହାସିକ ଭୂମିକା ଉପରେ ଆଲୋକପାତ କରି କହିଥିଲେ ଯେ, ନଅଙ୍କ ଦୁର୍ଭିକ୍ଷ ସମୟରେ ଜନସାଧାରଣଙ୍କ ଦୁର୍ଦ୍ଦଶା ପ୍ରଶାସନଙ୍କ ଦୃଷ୍ଟିକୁ ଆଣିବା, ଓଡ଼ିଆ ଭାଷା ଆନ୍ଦୋଳନ ଏବଂ ସ୍ୱାଧୀନତା ସଂଗ୍ରାମରେ ଜନମତ ସୃଷ୍ଟି କରିବାରେ ଏହି ସମ୍ବାଦପତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା।
ଓଡ଼ିଆ ସାମ୍ବାଦିକତା ବିଭାଗର ସହକାରୀ ଅଧ୍ୟାପିକା ଡ଼. ଚିରସ୍ରୋତା ଜେନା ଓଡ଼ିଆ ସାମ୍ବାଦିକତାର ଗୌରବମୟ ପରମ୍ପରା, ବର୍ତ୍ତମାନର ଚ୍ୟାଲେଞ୍ଜ ଓ ଭବିଷ୍ୟତର ସମ୍ଭାବନା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସଂସ୍ଥାନର ଲାଇବ୍ରେରିଆନ୍-ଇନ୍-ଚାର୍ଜ ଶୁଭଙ୍କରୀ ଦାସ ଦିବସର ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଇଂରାଜୀ ସାମ୍ବାଦିକତା ବିଭାଗର ସହକାରୀ ଅଧ୍ୟାପକ ଡ଼. ବିରଞ୍ଚି ନାରାୟଣ ସେଠ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ବୃତ୍ତିଗତ ଆଚରଣ ଏବଂ ଟେକ୍ନୋଲୋଜିର ବ୍ୟବହାର ଦ୍ୱାରା ଓଡ଼ିଆ ସାମ୍ବାଦିକତା ଜାତୀୟ ସ୍ତରରେ ଆଗକୁ ବଢ଼ୁଥିବା କହିଥିଲେ।
କାର୍ଯ୍ୟକ୍ରମରେ ଓଡ଼ିଆ ସାମ୍ବାଦିକତା, ଇଂରାଜୀ ସାମ୍ବାଦିକତା, କର୍ପୋରେଟ କମ୍ୟୁନିକେସନ୍ ଆଣ୍ଡ ବ୍ରାଣ୍ଡ ମ୍ୟାନେଜମେଣ୍ଟ ଏବଂ ମିଡିଆ ଆଣ୍ଡ କମ୍ୟୁନିକେସନ୍ ଗଭର୍ନାନ୍ସ ବିଭାଗର ଛାତ୍ରଛାତ୍ରୀଙ୍କ ସମେତ ସହକାରୀ ଅଧ୍ୟାପକ ପରାସ ଯାଦବ, ଧର୍ମେନ୍ଦ୍ର ଶ୍ରୀରାମ ଜାୱାଲେ ଓ ସଂସ୍ଥାନର ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକାମାନେ ଉପସ୍ଥିତ ଥିଲେ।