କ୍ୟାଡର ପୁନର୍ବିନ୍ୟାସ ଦାବୀ: ଆନ୍ଦୋଳନକୁ ଓହ୍ଲେଇଲେ କୃଷି ବିଭାଗର ସମସ୍ତ ଅଧିକାରୀ

ଢେଙ୍କାନାଳ : ଓଡିଶା କୃଷି ସେବା ସଂଘ ଡାକରରାରେ କ୍ୟାଡର ପୁନର୍ବିନ୍ୟାସ ଦାବୀରେ ଗୁରୁବାର ସାରା ରାଜ୍ୟର କୃଷି ବିଭାଗର ସମସ୍ତ ଅଧିକାରୀମାନେ ସାମୁହିକ ଛୁଟି ସହିତ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଓହ୍ଲେଇଛନ୍ତି ।ଏହି ଅବସରରେ ଆଜି ଢେଙ୍କାନାଳ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷି ବିଭାଗର ସମସ୍ତ ଅଧିକାରୀଙ୍କ ସହିତ ଉଦ୍ୟାନ କୃଷି ଏବଂ ମୃତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ଅଫିସରମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବସିଥିବା ଜଣାପଡିଛି ।

ପ୍ରକାଶ ଯେ କୃଷି ସେବା ସଂଘ କ୍ୟାଡର ପୁନର୍ବିନ୍ୟାସ ନେଇ ସରକାରଙ୍କ ନିରନ୍ତର ସହାୟତା ଲୋଡିଆସିଛି ।ଏପରିକି ସରକାରଙ୍କ ଦ୍ୱାରା ମଗାଯାଇଥିବା ସମସ୍ତ ତଥ୍ୟାବଳୀ ଦେବା ସହ ରାଷ୍ଟ୍ରୀୟ କୃଷି ସମ୍ପ୍ରସାରଣ ଓ ପ୍ରବନ୍ଧନ ସଂସ୍ଥାନ (ମ୍ୟାନେଜ)ଦ୍ୱାରା ସୁପାରିଶ କରାଯାଇଥିବା ପୁନର୍ବିନ୍ୟାସ ଦସ୍ତାବିଜ୍ ସମ୍ବନ୍ଧୀୟ ଆଲୋଚନା ଆଗରୁ ମାନ୍ୟବର କୃଷି ମନ୍ତ୍ରୀ ଓ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ କରିଆସିଛି ।

କୃଷି ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଅଗଷ୍ଟ ୧୫ତାରିଖ ସୁଦ୍ଧା ପଦକ୍ଷେପ ନିଆଯିବାର ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ହୋଇପାରିନାହିଁ ।ଯାହାଫଳରେ କୃଷି ସେବା ସଂଘ ପକ୍ଷରୁ ଏସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅଗଷ୍ଟ୧୬ତାରିଖରୁ ସମସ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବୀ ପୂରଣ ନହେଲେ ସମସ୍ତେ ଆଜିଠାରୁ ସାମୁହିକ ଛୁଟିରେ ରହି ଶାନ୍ତିପୂର୍ଣ୍ଣଭାବେ ଆନେ୍ଦାଳନ କରିବେ ବୋଲି ଜଣାଇଥିଲେ ।

କୃଷି ଅଧିକାରୀ,ଉଦ୍ୟାନ କୃଷି ଅଧିକାରୀ ଏବଂ ମୃତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ଅଧିକାରୀଙ୍କ ଏକାବେଳେ ସାମୁହିକ ଛୁଟିଯୋଗୁଁ କୃଷି ପରାମର୍ଶ କାର୍ଯ୍ୟଠାରୁ ଆରମ୍ଭକରି ସମସ୍ତ କୃଷି ସଂକ୍ରାନ୍ତିୟ କାଳିଆ,ବଳରାମ ଭଳି ୩୯ଟି ଯୋଜନା ପ୍ରଭାବିତ ହେବା ଆଶଙ୍କା ଦେଖାଇଦେଇଛି ।

ବର୍ତମାନ ଧାନଚାଷର ପ୍ରକୃଷ୍ଟ ସମୟ ହୋଇଥିବାରୁ ରୋଗପୋକ,ସାରପ୍ରୟୋଗ ଭଳି ଗୁରୁତ୍ୱପୂର୍ଣ୍ଣ ପରାମର୍ଶରୁ ଚାଷୀ ବଂଚିତ ହେବା ଯଥେଷ୍ଟ ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସଂଘର ଦାବୀକୁ ଅଗ୍ରାଧିକାର ମଧ୍ୟରେ ରାଜ୍ୟ ସରକାର ଶୁଣିବା ଜରୁରୀ ହୋଇପଡିଛି ।ଆଜିର ଆନ୍ଦୋଳନରେ କୃଷି ବିଭାଗର ୨୪ଜଣ,ଉଦ୍ୟାନ କୃଷି ଭିବାଗର୧୦ଜଣ,ମୃତିକା ସଂରକ୍ଷଣ ବିଭସଗର ୦୪ଜଣ ଅଧିକାରୀଙ୍କୁ ମିଶାଇ ୩୯ ଅଫିସର ସାମିଲ ଥିଲେ ।

ସୂଚନା ଥାଉ କି ବର୍ତମାନ ରାଜ୍ୟରେ ଗ୍ରୁପ (ବି )ରୁ ଗ୍ରୁପ (ଏ)ପର୍ଯ୍ୟନ୍ତ ୧୩୧୩ କୃଷି ଅଧିକାରୀ ପଦବୀ ରହିଛି ।ପୂର୍ବରୁ ୧୩ଟି ସ୍କିମ କାର୍ଯ୍ୟକାରୀ ହେଉଥିବାବେଳେ ବର୍ତମାନ ୩୯ଟି ସ୍କିମ କାର୍ଯ୍ୟକାରୀ ହେଉଛି ।ଆଗରୁ ୬ଶହକୋଟି କୃଷି ବଜେଟ ରହିଥିବାବେଳେ ବର୍ତମାନ ୬ହଜାର କୋଟିରେ ପଂହଚିଛି ।

ମାତ୍ର ସେ ଅନୁସାରେ କୃଷି ଅଧିକାରୀ ନଥିବାରୁ କାର୍ଯ୍ୟକରିବାରେ ସମସ୍ୟା ସୃଷ୍ଟି ହେଉଛି ।ଏଣୂ କ୍ୟାଡର ପୁର୍ନର୍ବିନ୍ୟାସ କରାଯାଇ ଅଧିକ କୃଷି ଅଧିକାରୀ ପଦବୀ ସୃଷ୍ଟି କରାଯିବା ପାଇଁ ସଂଘ ପକ୍ଷରୁ ଗୀତଶ୍ରୀ ପାଢୀ, ମାର୍କଣ୍ଡ ପ୍ରଧାନ , ଦୀପ୍ତି ଦୀପାଳି ପ୍ରମୁଖ ଦାବୀ କରାଯାଇଛି ।

Comments (0)
Add Comment