କଟକ ଜିଲ୍ଲା ସର୍ବୋଦୟ ମଣ୍ଡଳର କାର୍ଯ୍ୟକାରିଣୀ ସଭା

କଟକ : କଟକ ଜିଲ୍ଲା ସର୍ବୋଦୟ ମଣ୍ଡଳର କାର୍ଯ୍ୟକାରିଣୀ ସଭା ଶନିବାର ଗାନ୍ଧୀଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ବିଶ୍ଵଜିତ ସୂର୍ଯ୍ୟବଂଶୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକାରିଣୀରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲୋକସେବକ ଓ ସର୍ବୋଦୟ ମିତ୍ର ଉପସ୍ଥିତ ରହି ସର୍ବୋଦୟ ଓ ଗାନ୍ଧୀ ବିଚାରଧର୍ମୀ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନିମନ୍ତେ ସଂକଳ୍ପ ନେଇଛନ୍ତି ।

ଜିଲ୍ଲା ସମ୍ପାଦକ ଲକ୍ଷ୍ମୀ ପ୍ରକାଶ ମହାପାତ୍ର ବିଗତ ବର୍ଷ ମଣ୍ଡଳ ପକ୍ଷରୁ ହାତକୁ ନିଆଯାଇଥିବା କାମ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଅଖିଳ ଭାରତ ସର୍ବୋଦୟ ମଣ୍ଡଳର ଓଡିଶା ପ୍ରଭାରୀ ଡାକ୍ତର ବିଶ୍ଵଜିତ ସର୍ବୋଦୟ ଦର୍ଶନ ଓ ମଣ୍ଡଳର ଲକ୍ଷ୍ୟ ଓ କାର୍ଯ୍ୟ ବାବଦରେ ସମ୍ୟକ ସୂଚନା ଦେଇଥିଲେ ।

ଉତ୍କଳ ସର୍ବୋଦୟ ମଣ୍ଡଳର ରାଜ୍ୟ ସଭାପତି ମିହିର ପ୍ରତାପ ଦାସ ରାଜ୍ୟ ସଂଗଠନର ଆଗାମୀ କାର୍ଯ୍ୟପନ୍ଥା ଏବଂ ବିଭିନ୍ନ ଜିଲ୍ଲାସ୍ତରରେ ନିଆଯାଉଥିବା ରଚନାତ୍ମକ ଓ ସଂଘର୍ଷାତ୍ମକ କାର୍ଯ୍ୟ ଯୋଜନା ବାବଦରେ ଜଣାଇବା ସହ ଗାନ୍ଧୀ ପ୍ରଣୀତ ସର୍ବୋଦୟ ବିଚାରକୁ ରାଜ୍ୟର ଘରେ ଘରେ ପହଞ୍ଚାଇବାକୁ ଆହ୍ଵାନ ଜଣାଇଥିଲେ ।

ଏହି ଅବସରରେ ଗୁଣନିଧି ଭବନରେ ମାସିକ ପାଠଚକ୍ର, କଟକ ସହରରେ ସାମ୍ପ୍ରଦାୟିକ ସଦଭାବ ଉପଲକ୍ଷେ କଟକ ଶାନ୍ତି ସଦଭାବନା ସମିତି ଗଠନ, ସହରର ପ୍ରତି ସାହିରେ ନିଶାନିବାରଣ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସ୍ଥିର ହେଲା ।

କଟକ ସହରରେ ବିପିଏଲ ପରିବାରକୁ ମାଗଣା ପାନୀୟ ଜଳ ଯୋଗାଇଦେବା ନିମନ୍ତେ ଆନ୍ଦୋଳନ କରାଯିବା ପାଇଁ ସଭାରେ ନିଷ୍ପତ୍ତି ନିଆଗଲା । ଅଭଙ୍ଗା କଣ୍ଢେଇର ଜନକ ଭିକାରୀ ପଟ୍ଟନାୟକ ସ୍ମାରକୀ ଗ୍ରାମ୍ୟ ଶିଲ୍ପ କେନ୍ଦ୍ର ଗଢି ଜିଲ୍ଲାର ଗରୀବ ଲୋକଙ୍କୁ କାମ ଯୋଗାଇବା ନିମନ୍ତେ ଯୋଜନା ପ୍ରସ୍ତୁତ କରିବାକୁ ସଭାରେ ନିଷ୍ପତ୍ତି ହେଲା ତଥା ଗାନ୍ଧୀବାଦୀ ଆଇନଜୀବୀ ସାମ୍ମୁଖ୍ୟ ଗଠନ ପାଇଁ ସଂକଳ୍ପ ନିଆଯାଇଥିଲା ।

ଜିଲ୍ଲା ସର୍ବୋଦୟ ମଣ୍ଡଳ ପକ୍ଷରୁ ଡ ଦୀପାୟନ ପଟ୍ଟନାୟକ, ଅନିମା ରାୟ, ପରୀକ୍ଷିତ ମହାରଣା, ଦେବେନ୍ଦ୍ର ନାରାୟଣ ପଟ୍ଟନାୟକ,ସୌଭାଗ୍ୟ ଜେନା, ପ୍ରସନ୍ନ ମହାପାତ୍ର, ବିଭୁପ୍ରସନ୍ନ ମହାପାତ୍ର, କାଶୀନାଥ ସ୍ଵାଇଁ, ଉମାଶଙ୍କର ମିଶ୍ର, ଡାକ୍ତର ଅକ୍ଷୟ କୁମାର ଦାସ, ଭରତ ଚନ୍ଦ୍ର ମିଶ୍ର, ଗୌରବ ଜୈନ, ଜ୍ୟୋସ୍ନାମୟୀ ପାଣି, ଜ୍ୟୋତିପ୍ରକାଶ ଦାସ, ଦିଲ୍ଲୀପ କୁମାର ଚୌଧୁରୀ,ସବ୍ୟସାଚୀ ମହାନ୍ତି, ନିରୁପମା ବାରିକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଜିଲ୍ଲା ସଭାପତି ଭାବେ ବିଶ୍ଵଜିତ ସୂର୍ଯ୍ୟବଂଶୀ, ସମ୍ପାଦକ ଲକ୍ଷ୍ମୀ ପ୍ରକାଶ ମହାପାତ୍ର ଓ ରାଜ୍ୟ ପ୍ରତିନିଧି ଭାବେ ଦୀପାୟନ ପଟ୍ଟନାୟକ ପୁନଃ ମନୋନୀତ ହେଲେ । ଶେଷରେ ଉତ୍କଳ ସର୍ବୋଦୟ ମଣ୍ଡଳର ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment