ଲଗାଣ ବର୍ଷାରେ କାନ୍ଥପଡି ମହିଳା ମୃତ

ଢେଙ୍କାନାଳ : ଗତ କିଛିଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ଏକ କଚାଘରର କାନ୍ଥ ବୁଶୁଡି ପଡିବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଉଛନ୍ତି ଶଙ୍କରପୁର ପଂଚାୟତ ଅନ୍ତର୍ଗତ ପାମାଳା ଗ୍ରାମର ହୃଷିକେଶ ଜେନାଙ୍କ ସ୍ତ୍ରୀ ଭାରତୀ ଜେନା ବୋଲି ଜଣାପଡିଛି ।

ପ୍ରକାଶ ଯେ, ସଦର ବ୍ଲକ ଅନ୍ତର୍ଗତ ଶଙ୍କରପୁର ପଂଚାୟତର ପାମାଳା ଗ୍ରାମର ହୃଷିକେଶ ଜେନା ଜଣେ ଗରିବ କୃଷି ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ତାଙ୍କର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ଏବଂ ସେ ଆବାସ ଯୋଜନାରେ ଘର ଖଣ୍ଡେ ପାଇନଥିବାରୁ ତାଙ୍କର ମାଟିକାନ୍ଥରେ ତିଆରି କଚ୍ଚାଘରେ ରହୁଥିଲେ ।

ମାତ୍ର ଗତ ୪ଦିନ ଧରି ଲଗାଣ ବର୍ଷା ଯୋଗୁଁ ଗତ ମଙ୍ଗଳବାର ରାତିରେ ଘରର କାନ୍ଥ ଭୁଷୁଡି ପଡିଥିଲା । ଫଳରେ ମାଟିକାନ୍ଥଟି ହୃଷିକେଶଙ୍କ ପତ୍ନ ଭାରତୀଙ୍କ ଉପରେ ପଡିବାରୁ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଏକ ବାଇକ ଯୋଗେ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ।

ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଡାକ୍ତରଖାନା ସୂତ୍ରରୁ ଖବର ପାଇ ଆଠଗଡ଼ ପୋଲିସ୍ ଡାକ୍ତରଖାନାରେ ପହଂଚି ଶବ ଜବତ କରି ବ୍ୟବଛେଦ କରିବା ସହ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିବା ଜଣାପଡିଛି । ଭାରତୀଙ୍କ ମୃତ୍ୟୁ ପାଇଁ ପ୍ରଶାସନ ଦାୟୀ ବୋଲି ସ୍ଥାନୀୟ ଲୋକ ଏବଂ ପରିବାର ଅଭିଯୋଗ କରିଛନ୍ତି ।

Comments (0)
Add Comment