ଅସହାୟ ମୃତା ମହିଳାଙ୍କ ଶବ ସଂସ୍କାର ପାଇଁ ଆଗେଇ ଆସିଲେ ସ୍ୱେଚ୍ଛାସେବୀ

ଢେଙ୍କାନାଳ: ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ୍, ତୁମୁସିଙ୍ଗା ଥାନା ଅନ୍ତର୍ଗତ ଆମ୍ବଖୋଲ କାଟେଣୀ ଗ୍ରାମର ଝିଟା ନାଏକ (୭୫) ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ଡାଇରିଆ ୱାର୍ଡ ନଂ-୧୨ ବେଡ୍ରେ ଚିକିତ୍ସାଧିନ ଅବସ୍ଥାରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ମୃତୁ୍ୟ ବରଣ କରିଗଲେ ।

ମୃତୁ୍ୟଶଯ୍ୟା ନିକଟରେ ତାଙ୍କର ୮୧ ବର୍ଷିଆ ନିଃସହାୟ ସ୍ୱାମୀ କାନ୍ଦୁ ଥିବାର ଖବର ପାଇ ରେଡ୍କ୍ରସ୍ ସ୍ୱେଚ୍ଛାସେବୀ କବିତା ବେହେରା ତାଙ୍କୁ ସାନ୍ତ୍ୱନା ଦେବା ସହ ତାଙ୍କର ଆର୍ଥିକ ସ୍ୱଚ୍ଛଳତା ନଥିବାରୁ ଓ ସେ ଗ୍ରାମରୁ ସାମାଜିକ ବାସନ୍ଦ ହୋଇଥିବାରୁ ନିଜ ମୃତା ସ୍ତ୍ରୀଙ୍କର ଅନ୍ତିମ ସଂସ୍କାର କରିବାକୁ ଅକ୍ଷମତା ପ୍ରକାଶ କରିଥିଲେ । ଜିଲ୍ଲା ରେଡ୍କ୍ରସ୍ର ଆଜୀବନ ସଦସ୍ୟ ତଥା ପାର୍ଟନ ରୋଟାରିଆନ୍ ରାଜକିଶୋର ବେହେରା ଓ ସାଇ ଟ୍ରଷ୍ଟ ପକ୍ଷରୁ ଶିବ ପ୍ରସାଦ ପଣ୍ଡା ସହଯୋଗର ହାତ ବଢାଇଥିଲେ ।

ମୃତକ ଶ୍ରୀମତୀ ଝିଟା ନାଏକଙ୍କର ସ୍ୱାମୀ ଗିରିଧାରୀ ନାଏକ, କନିଷ୍ଠ ପୁତ୍ର ମଙ୍ରଜା ନାଏକ ଓ ନାତି ଜଗବନ୍ଧୁ ନାଏକଙ୍କ ଉପସ୍ଥିତିରେ ବିଧି ମୁତାବକ ମହିଷାପାଟସ୍ଥିତ ଖଇରାଗଡା ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ସ୍ୱାମୀ ଗିରିଧାରୀ ନାଏକ ମୁଖାଗ୍ନି ଦେଇଥିଲେ । ଶେଷରେ ଅସହାୟ ଗିରିଧାରୀଙ୍କୁ କ୍ଷୌର, ସ୍ନାନାଦି କରାଯାଇ ନୂତନ ବସ୍ତ୍ର ପ୍ରଦାନ କରାଯାଇଥିଲା ଓ “”ଐରା” ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ପରିଚାଳିତ ବୃ୍ଦ୍ଧାଶ୍ରମକୁ ପଠାଇ ଦିଆଯାଇଥିଲା ।

 ଏହି ମହତ କାର୍ଯ୍ୟରେ ରେଡ୍କ୍ରସ୍ ରାପିଡ୍ରେସ୍ପନ୍ସ ଗ୍ରୁପ୍ର ଦିଲ୍ଲୀପ ସାହାଣୀ, ପଦ୍ମନାଭ ନାୟକ ଓ ସାଇସେବା ଟ୍ରଷ୍ଟର ସୁବାସ ଦାସ, ରଘୁନନ୍ଦନ ସାହୁ, ସୁବୋଧ ସିଂ, ରମାକାନ୍ତ ପତି, ଲକି ନାଥ, ନସୀମ୍ ଓ ବିଚିତ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Comments (0)
Add Comment