ଅହମ୍ମଦିୟା ମୁସଲିମ ଯୁବକମାନେ ଦେଉଛନ୍ତି ଅଶାନ୍ତ ବିଶ୍ଵକୁ ଶାନ୍ତିର ବାର୍ତା

ଢେଙ୍କାନାଳ (ଅନସାର୍ ଅଲୀ ଖାଁ) ସହର ଉପକଣ୍ଠ ଗୁଣ୍ଡିଚାପଡ଼ାଠାରେ ମଜଲିସ ଖୁଦ୍ଦାମୁଲ ଅହମ୍ମଦିୟା ଅଥବା ଅହମଦିୟା ମୁସଲିମ ଯୁବ ସଂଗଠନର ସଦସ୍ୟମାନେ ସଦର ଥାନା, ଗୁଣ୍ଡିଚାପଡ଼ା ସହିଦ୍ ସ୍ମାରକୀ ତଥା ଜାତୀୟ ରାଜପଥ କଡ଼ରେ ବିଶ୍ବଶାନ୍ତି ପ୍ରତିଷ୍ଠା ଦିଗରେ ବିଶ୍ବବ୍ୟାପୀ ବ୍ୟାନର ପ୍ରଦର୍ଶନୀ କରିଛନ୍ତି। ଯେଉଁଥିରେ ଏହି ଶାନ୍ତିବାର୍ତା ଦିଆଯାଉଛି ଯେ “ତୃତୀୟ ବିଶ୍ଵଯୁଦ୍ଧ ନହେଉ ଅଥବା ବନ୍ଦ କରାଯାଉ”, “ପ୍ରେମ ସଭିଙ୍କ ପାଇଁ ଘୃଣା କାହା ପ୍ରତି ନାହିଁ” ଇତ୍ୟାଦି।

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ପୃଥିବୀ ତୃତୀୟ ବିଶ୍ଵ ଯୁଦ୍ଧ ଆଡ଼କୁ ତୀବ୍ର ଗତିରେ ମାଡ଼ି ଚାଲିଛି, ରୁଷିଆ ଓ ୟୁକ୍ରେନ ମଧ୍ୟରେ ଭୀଷଣ ଯୁଦ୍ଧ ଚାଲିଛି, ରାଷ୍ଟ୍ରୀୟ ତଥା ଅନ୍ତଃରାଷ୍ଟ୍ରୀୟ ସମାଚାର ଦ୍ଵାରା ଏହା ଶୁଣିବାକୁ ମିଳୁଛି ଯେ ପରମାଣୁ ଯୁଦ୍ଧର ଧମକ ମଧ୍ୟ ଦିଆ ଯାଉଅଛି। ଯଦି ଏବେ ପରମାଣୁ ଯୁଦ୍ଧ ହୁଏ ତେବେ ମାନବ ସମାଜର ଅସ୍ତିତ୍ବ ଧ୍ୱଂସ ହୋଇଯିବ।

ଅନ୍ତଃରାଷ୍ଟ୍ରୀୟ ଅହମଦିୟା ମୁସଲିମ ସମ୍ପ୍ରଦାୟର ବିଶ୍ଵ ପ୍ରମୁଖ ହଜରତ ମିର୍ଜା ମସରୁର ଅହମଦ ବହୁ ବର୍ଷ ଧରି ଦୁନିଆର ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ର ମାନଙ୍କୁ ସୂଚିତ କରାଇ ଆସୁଛନ୍ତି ଯେ ସେମାନେ ବିଂଶ ଶତାବ୍ଦୀରେ ଘଟିଥିବା ଦୁଇଟି ବିନାଶକାରୀ ବିଶ୍ଵଯୁଦ୍ଧ ସମ୍ବନ୍ଧରେ ଇତିହାସର ଶିକ୍ଷାକୁ ମନେ ପକାଇ ସେଥିରୁ ସବକ ହାସଲ କରନ୍ତୁ ।

ଏହି ପରିପ୍ରେକ୍ଷୀରେ ସେ ବିଭିନ୍ନ ରାଷ୍ଟ୍ରର ନେତାମାନଙ୍କୁ ଚିଠି ଲେଖିଛନ୍ତି ଯେ ସମାଜର ପ୍ରତ୍ୟେକ କ୍ଷେତ୍ରରେ ନ୍ୟାୟ ସ୍ଥାପିତ କରିବା ସହ ବିଶ୍ବ ଶାନ୍ତି ଓ ନିରାପତାକୁ ପ୍ରାଥମିକତା ଦିଅନ୍ତୁ। ଶ୍ରୀ ଅହମ୍ମଦ କହନ୍ତି ଯଦି ବିଶ୍ଵବାସୀ ବିଶ୍ଵଶାନ୍ତି ଚାହୁଛନ୍ତି ତେବେ ନିଜ ସୃଷ୍ଟିକର୍ତାଙ୍କୁ ଚିହ୍ନନ୍ତୁ, ବିଶ୍ୱବ୍ୟାପୀ ଏକତାକୁ ପ୍ରଶୟ ଦିଅନ୍ତୁ ଏବଂ ପରମାଣୁ ଅସ୍ତ୍ର ବର୍ଜନ କରନ୍ତୁ, ନ୍ୟାୟ ପ୍ରତିଷ୍ଠା କରନ୍ତୁ ଓ ଅସ୍ତ୍ରଶସ୍ତ୍ରର ବ୍ୟବସାୟରୁ ଲାଭ ଉପାର୍ଜନ କରିବା ବନ୍ଦ କରନ୍ତୁ ଏବଂ ଚରମପନ୍ଥୀ ଦଳର ପ୍ରତିବାଦ କରି ଦେଶର ବିକାଶ ଓ ଉନ୍ନତି ସକାଶେ ଉଦ୍ୟମ କରନ୍ତୁ।

ଅହମ୍ମଦି ଯୁବକମାନେ ଏହି ଶାନ୍ତିର ବାର୍ତାକୁ ପୃଥିବୀର କୋଣ ଅନୁକୋଣରେ ପହଞ୍ଚାଇବାକୁ ଉଦ୍ୟମ କରୁଛନ୍ତି। ନବ ଯୁବକମାନଙ୍କ ଏହି ଉଦ୍ୟମକୁ ବୁଦ୍ଧିଜୀବିମାନେ ସ୍ୱାଗତ କରିଛନ୍ତି।

Comments (0)
Add Comment