ଅନ୍ତିମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଅସ୍ତରଙ୍ଗ ଓ କାକଟପୁର ବ୍ଲକରେ ଆଜି ମତଦାନ

କୋଣାର୍କ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ୨୪ ତାରିଖରେ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ହେବ । ଅସ୍ତରଙ୍ଗ ବ୍ଲକର ୧୫ଟି  ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୨୩୦ଟି ୱାର୍ଡ, ୨ଟି ଜିଲ୍ଲା ପରିଷଦ ଜୋନ ଏବଂ କାକଟପୁର ବ୍ଲକର ୧୬ଟି  ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୨୬୮ଟି ୱାର୍ଡ, ୩ଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ମତଦାନ ହେବ ।

 

ଉକ୍ତ ଦୁଇଟି ବ୍ଲକର  ୩୧ଟି ଗ୍ରାମ ପଞ୍ଚାୟତର ୫୧୮ଟି ୱାର୍ଡ ଓ ୫ଟି ଜିଲ୍ଲା ପରିଷଦ ଜୋନରେ ମତଦାନ ହେବ । ଅସ୍ତରଙ୍ଗରେ ୪୭ଜଣ ସରପଞ୍ଚ, ୪୭ ଜଣ ସମିତି ସଭ୍ୟ, ୪୨୯ ଜଣ ୱାର୍ଡମେମ୍ବର, ୬ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, କାକଟପୁର ବ୍ଲକରେ ୭୦ ଜଣ ସରପଞ୍ଚ, ୫୪ଜଣ ସମିତି ସଭ୍ୟ, ୬୦୫ ଜଣ ୱାର୍ଡମେମ୍ବର, ୧୧ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।
ଏହି ପର୍ଯ୍ୟାୟରେ  ଅସ୍ତରଙ୍ଗ ବ୍ଲକରେ ୭୩୬୨୦ ଜଣ ଭୋଟର, କାକଟପୁରରେ ୯୩୦୨୮ ଜଣ ଭୋଟରଙ୍କୁ ମିଶାଇ ମୋଟ ୧୬୬୬୪୮ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଏଥିନିମନ୍ତେ ଅସ୍ତରଙ୍ଗ ପାଇଁ ୧୫ ଜଣ ଏବଂ କାକଟପୁରରେ ପାଇଁ ୧୯ ଜଣ ସେକ୍ଟର ଅଫିସର ନିଯୁକ୍ତ ହୋଇଛନ୍ତି । ଉଭୟ ବ୍ଲକରେ ୧୧୬ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି ।

 

ଏତଦବ୍ୟତୀତ ଅସ୍ତରଙ୍ଗ ବ୍ଲକର ଅସ୍ତରଙ୍ଗ ପଞ୍ଚାୟତର ୮ନଂ ୱାର୍ଡ, କାକଟପୁର ଓଥକା ପଞ୍ଚାୟତର ୩ନଂ ୱାର୍ଡକୁ ପିଙ୍କ ବୁଥ ଭାବେ ବ୍ୟବସ୍ଥା କରାଯାଇଛି ଯେଉଁଠାରେ ମତଦାନ ପରିଚାଳନା ନିମନ୍ତେ ସମସ୍ତ ପୋଲିଂ କର୍ମଚାରୀ ମହିଳା ହିଁ ରହିବେ । ଆଜି ଠାରୁ ପୋଲିଂ ପାର୍ଟିମାନେ ସଂପୃକ୍ତ ବ୍ଲକରେ ରିପୋର୍ଟିଂ କରିବା ପରେ ସେମାନଙ୍କ ମତଦାନ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି ।

 

ଆସନ୍ତା ୨୪ ତାରିଖରେ ସକାଳ ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ମତଦାନ ହୋଇ ଆସନ୍ତା ୨୬ ତାରିଖରେ ସଂପୃକ୍ତ ବ୍ଲକରେ ଭୋଟ ଗଣତି ହେବ  । ଅବାଧ ଓ ନିରପେକ୍ଷ ମତଦାନ ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।

 

ଚତୁର୍ଥ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ  ରହିଛି ।  ଡେଲାଙ୍ଗ ଓ ପିପିଲି ବ୍ଲକରେ ୭୮.୭୯ ପ୍ରତିଶତ ମତଦାନ ହୋଇଛି । ଡେଲାଙ୍ଗ ବ୍ଲକରେ  ୭୩.୫୬ ଏବଂ ପିପିଲି ବ୍ଲକରେ  ୮୪.୦୩ ପ୍ରତିଶତ ମତଦାନ ହୋଇଛି ।

 

ସମସ୍ତ ଭୋଟ ବାକ୍ସକୁ ସଂପୃକ୍ତ ବ୍ଲକର ଷ୍ଟ୍ରଙ୍ଗ ରୁମରେ ରଖାଯାଇ ଏହାକୁ ସିଲ କରାଯିବା ସହ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
Comments (0)
Add Comment