ଗୁଣ୍ଡିଚାପଡ଼ା ଠାରେ ଅଙ୍ଗୀକୃତ ସଂସ୍କାରକ ଦିବସ ପାଳିତ

ଢେଙ୍କାନାଳ (ଅନସାର୍ ଅଲୀ ଖାଁ): ସହର ଉପକଣ୍ଠ ଗୁଣ୍ଡିଚାପଡ଼ାଠାରେ ଅହମଦିୟା ମୁସଲିମ ସମ୍ପ୍ରଦାୟ ଆନୁକୁଲ୍ୟରେ ମୁସଲେହ୍ ମଊଦ ଦିବସ ଅଥବା ଅଙ୍ଗୀକୃତ ସଂସ୍କାରକ ଦିବସ ପାଳିତ ହୋଇଯାଇଅଛି। ଏହି ଦିବସରେ ଏକ ଧର୍ମସଭାର ଆୟୋଜନ କରାଯାଇଥିଲା, ଏହି ଧର୍ମ ସଭାରେ ଅହମ୍ମଦିୟା ମୁସଲିମ ସମ୍ପ୍ରଦାୟ ଗୁଣ୍ଡିଚାପଡ଼ାର ସଭାପତି ସୁଲେମାନ ଅଲୀ ଖାଁ ପୈାରହିତ୍ୟ କରିଥିଲେ।

ଶେଖ୍ ବଶିର ପବିତ୍ର କୋରାନ ପାଠ କରିଥିବା ବେଳେ ରମଜାନ ବକ୍ସ ଉର୍ଦ୍ଧୁ ନଜମ୍ (କବିତା) ପରିବେଷଣ କରିଥିଲେ। ମୁଖ୍ୟ ବକ୍ତା ଭାବେ ମୌଲବୀ ଲିଆକତ ଅଲ୍ଲୀ ଖାଁ,ଶାହିଦ ମୁନିବ ଅହମ୍ମଦ, ଶେଖ୍ ବଶିର, ଇଦରିସ ଖାଁ ତଥା ମୌଲବୀ ଇସ୍ରାଫିଲ ପ୍ରମୁଖ ଯୋଗ ଦେଇଥିଲେ।

ସଭାପତି ନିଜ ଭାଷଣରେ ଏହି ଦିବସର ମହିମା ବର୍ଣ୍ଣନା କରିବାକୁ ଯାଇ କହିଥିଲେ – ଅହମ୍ମଦିୟା ମୁସଲିମ ଜମାତର ପ୍ରତିଷ୍ଠାତା ହଜରତ ମିର୍ଜା ଗୁଲାମ ଅହମ୍ମଦ ସାହେବ, ଈଶ୍ବରଙ୍କ ଆଦେଶରେ ୧୮୮୬ ମସିହାରେ ହୋଶିଆରପୁରରେ ୪୦ ଦିନ ଧରି ଈଶ୍ୱରଙ୍କ ନିର୍ଦ୍ଦେଶ ଅନୁଯାୟୀ ଚିଲ୍ଲାକଶୀ ନାମରେ ଏକ ଘୋର ତପସ୍ୟା କରିଥିଲେ, ଫଳସ୍ୱରୂପ ଭଗବାନ ତାଙ୍କୁ ଏକ ଅସାଧାରଣ ପୁତ୍ର ହେବାର ସୁସମାଚାର ଦେଇଥିଲେ।

ସୁତରାଂ ୨୦ ଫେବୃଆରୀ ୧୮୮୮ ମସିହାରେ ଅହମ୍ମଦିଆ ମୁସଲିମ ଜମାତର ପ୍ରତିଷ୍ଠାତା ଏକ ବିଜ୍ଞାପନ ମାଧ୍ୟମରେ ଜନସାଧାରଣଙ୍କୁ ଏହି ଖବର ବିଷୟରେ ଅବଗତ କରାଇଲେ, ଈଶ୍ୱରୀୟ କଥା ଅନୁଯାୟୀ, ୧୨ ଜାନୁଆରୀ ୧୮୮୯ ରେ, ସେହି ଅସାଧାରଣ ପୁତ୍ରଟି ଜନ୍ମ ଗ୍ରହଣ କଲା, ସେହି ଗୌରବମୟ ତଥା ପରମ ତେଜସ୍ଵୀ ପୁତ୍ର ଯାହାଙ୍କ ନାମ ହଜରତ ମିର୍ଜା ବଶିର ଉଦ୍ଦିନ ମହମୁଦ ଅହମ୍ମଦ ଅଟେ, ପରବର୍ତ୍ତୀ ସମୟରେ ସେ ଅହମ୍ମଦିଆ ସମ୍ପ୍ରଦାୟର ଦ୍ୱିତୀୟ ଉତ୍ତରାଧିକାରୀ ହୋଇଥିଲେ।

ସେହି ମହାନ ପୁତ୍ର ତାଙ୍କର ୫୨ ବର୍ଷିୟ ଖିଲାଫତ ଅବଧିରେ ଅନେକ ଅବିସ୍ମରଣୀୟ କାର୍ଯ୍ୟ କରି ଅସାଧାରଣ ବ୍ୟକ୍ତିତ୍ୱର ପ୍ରଦର୍ଶନ କରିଥିଲେ । ଏବଂ ଅହମ୍ମଦିଆ ମୁସଲିମ ଜମାତକୁ ମଜବୁତ କରି ଏହାକୁ ଦୁନିଆର କୋଣ ଅନୁକୋଣରେ ପହଞ୍ଚାଇଥିଲେ ​​।

ଆଜି ଏହି ସମ୍ପ୍ରଦାୟ ବିଶ୍ଵର ୨୦୦ ରୁ ଅଧିକ ଦେଶରେ ପ୍ରସାର ଲାଭ କରିଛି। ଏହି ଧର୍ମ ସଭାରେ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।

Comments (0)
Add Comment