ପଞ୍ଚାୟତ ପଲିଟିକ୍ସ : ପ୍ରାର୍ଥପତ୍ର ଦାଖଲ ପୂର୍ବରୁ କଣ କରିବେ ଜାଣି ନେବା

ଢେଙ୍କାନାଳ (ବ୍ୟୁରୋ ରିପୋର୍ଟ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରକାରୀସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଜିଠାରୁ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲାପରିଷଦ ସଦସ୍ୟ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଆଶାୟୀମାନେ ଆବଶ୍ୟକୀୟ କାଗଜାତ ଯୋଗାଡ଼ କରିବାରେ ଧନ୍ଧିପାନ୍ଧି ହେଉଛନ୍ତି । ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲାପରିଷଦ ସଦସ୍ୟମାନେ ପ୍ରାର୍ଥୀତ୍ୱ ସଂପର୍କରେ ନାମାଙ୍କ ନାମାଙ୍କନପତ୍ର ସହ ସତ୍ୟପାଠ ଦାଖଲ କରିବାର ପ୍ରାବଧାନ ଥିବାବେଳେ ୱାର୍ଡ ମେମ୍ବର ପ୍ରାର୍ଥୀମାନେ ବ୍ୟକ୍ତିଗତ ଘୋଷଣାପତ୍ର ଦାଖଲ କରିବେ ।

ଆମ ଜିଲ୍ଲାର ୨୧୨ଟି ଗ୍ରାମ ପଂଚାୟତର ସରପଞ୍ଚ ଏବଂ ୱାର୍ଡ ମେମ୍ବର ପଦବୀ ପାଇଁ ସଂପୃକ୍ତ ଗ୍ରାମ ପଂଚାୟତରେ ପ୍ରାର୍ଥୀପତ୍ର ଦାଖଲର ବ୍ୟବସ୍ଥା କରାଯାଇଛି । ସେହିଭଳି ୮ଟି ପଂଚାୟତ ସମିତି ଅଧିନରେ ଥିବା ୨୧୨ ଗ୍ରାମ ପଂଚାୟତର ସମିତି ସଭ୍ୟମାନେ ରିଟନିଂ ଅଫିସର ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିବେ । ୨୭ଟି ଜିଲ୍ଲା ପରିଷଦ ଆସନର ପ୍ରାର୍ଥୀମାନେ ଢେଙ୍କାନାଳ, ହିନେ୍ଦାଳ ଏବଂ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିବେ ।

ପ୍ରାର୍ଥୀମାନଙ୍କର ସର୍ବନିମ୍ନ ବୟସ ସୀମା ୨୧ବର୍ଷ ରଖାଯାଇଛି । ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ ସମୟରେ ନିଜର ଭୋଟ୍ କାର୍ଡ ଜେରକ୍ସ ସହ ପ୍ରସ୍ତାବକ ଏବଂ ସମର୍ଥକଙ୍କର ଭୋଟରକାର୍ଡ ଦାଖଲ କରିବେ । ନାମାଙ୍କନପତ୍ରରେ ପ୍ରାର୍ଥୀଙ୍କର ଭୋଟର ତାଲିକାରେ ଥିବା କ୍ରମିକ ସଂଖ୍ୟା ଏବଂ କେଉଁ ୱାର୍ଡରେ ତାଙ୍କ ନାମ ରହିଛି, ତାହା ଉଲ୍ଲେଖ କରିବା ନିହାତି ଆବଶ୍ୟକ । ସେହିଭଳି ପ୍ରସ୍ତାବକ ଏବଂ ସମର୍ଥକଙ୍କର ୨୦୨୨ ଗ୍ରାମପଂଚାୟତ ଭୋଟର ତାଲିକାରେ ନାମ ରହିଥିବା ନିହାତି ଆବଶ୍ୟକ । ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ପ୍ରାର୍ଥୀମାନେ ନିଜ ନିଜର ଜାତି ପ୍ରମାଣପତ୍ର ନାମାଙ୍କନପତ୍ର ସହ ଦାଖଲ କରିବାକୁ ନିଦେ୍ର୍ଦଶ ରହିଛି ।

ପ୍ରାର୍ଥୀମାନେ ନିଜ ନିଜର ଆଧାର କାର୍ଡ କପି ସହ ଦୁଇଟି ରଙ୍ଗିନ୍ ପାସ୍ପୋର୍ଟ ସାଇଜ୍ ଫଟୋ, ବ୍ୟାଙ୍କ ଜମାଖାତାର ପ୍ରଥମ ପୃଷ୍ଠାର ଜେରକ୍ସ କପି ପ୍ରଦାନ କରିବା ପାଇଁ ନିଦେ୍ର୍ଦଶ ରହିଛି ।
୧୭ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ମାନେ ନାମାଙ୍କପତ୍ର ଦାଖଲ କରିବେ । ୨୫ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ ୨୭ ତାରିଖ ରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ନିର୍ବାଚନ ଅଧିକାରୀ ମାନେ ଘୋଷଣା କରିବେ । କେବଳ ଜିଲାପରିଷଦ ଆସନ ପାଇଁ ଦଳୀୟ ପ୍ରାର୍ଥୀ ଓ ସ୍ୱାଧିନ ପ୍ରାର୍ଥୀ ଲଢିବେ । ଅନ୍ୟ ସବୁ ନିର୍ଦ୍ଦଳୀୟ ନିର୍ବାଚନ ହେବ ।

ସରପଂଚ ଓ ସମିତି ସଭ୍ୟ ପ୍ରାର୍ଥୀମାନେ ଅଣସଂରକ୍ଷିତ ଆସନ ପାଇଁ ୧୦୦ଟଙ୍କା ଅମାନତ ରାଶି ଜମା କରିବେ ଏବଂ ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀମାନେ ୫୦ଟଙ୍କାର ଅମାନତ ରାଶି ଜମାକରିବାର ନିଦେ୍ର୍ଦଶ ରହିଛି । ସେହିପରି ୱାର୍ଡମେମ୍ବର ପ୍ରାର୍ଥୀମାନେ ଅଣସଂରକ୍ଷିତ ପାଇଁ ୫୦ଟଙ୍କା ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ୨୫ଟଙ୍କା ଅମାନତ ରାଶି ଜମା କରିବେ । ଜିଲାପରିଷଦର ପ୍ରାର୍ଥୀ ମାନେ ଅଣସଂରକ୍ଷିତ ଆସନ ପାଇଁ ୨୦୦ ଟଙ୍କା ଏବଂ ଅନୁସୂଚିତ ଜାତି ଏବଂ ଜନଜାତିର ପ୍ରାର୍ଥୀ ମାନେ ୧୦୦ ଟଙ୍କା ଅମାନତ ରାଶି ଜମା କରିବେ ।
ପ୍ରାର୍ଥୀମାନେ ପଂଚାୟତରୁ ନେଣଦେଣ ସମ୍ପର୍କିତ ନୋ ଡ୍ୟୁଜ୍ କ୍ଲିୟରାନ୍ସ ଆଫିଡେଭିଟ୍ରେ ଦାଖଲ କରିବେ । ଏଥିସହିତ ପ୍ରାଥମିକ କୃଷି ସମବାୟ ସମିତିରେ ଖିଲାପି ନଥିବା ନୋ ଡ୍ୟୁଜ୍ ସାର୍ଟିଫିକେଟ ପ୍ରଦାନ କରିବାକୁ କୁହାଯାଇଛି । ପ୍ରାର୍ଥୀମାନେ ପ୍ରଥମଶ୍ରେଣୀ ମାଜିଷ୍ଟ୍ରେଟ, ନୋଟାରୀ ପବ୍ଲିକ ଏବଂ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ନିକଟରେ ୮ପୃଷ୍ଠା ସମ୍ବଳିତ ସତ୍ୟପାଠ କରାଇ ନାମାଙ୍କନପତ୍ର ସହ ଦାଖଲ କରିବେ । ସତ୍ୟପାଠରେ ଦୁଇଜଣ ଶାଖୀ ସହ ଦୁଇ ସନ୍ତାନରୁ ଅଧିକ ନଥିବା ଏବଂ ଜଣେ ପତି କିମ୍ବା ପତ୍ନୀ ଥିବା ଦର୍ଶାଇବାକୁ କୁହାଯାଇଛି । ଏଥିସହିତ ସତ୍ୟପାଠରେ ପ୍ରାର୍ଥୀ ଓଡ଼ିଆରେ ଲେଖି ପଢ଼ି ଯାଣୁଥିବା ଦର୍ଶାଇବେ । ଯଦି ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଏବଂ ବାସସ୍ଥାନ ସମ୍ପର୍କୀତ ପ୍ରମାଣପତ୍ର ବାବଦରେ ଯଦି କେହି ଚ୍ୟାଲେଞ୍ଜ କରନ୍ତି, ତେବେ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଓ ବାସସ୍ଥାନ ପ୍ରମାଣପତ୍ର ଦାଖଲ କରିବାକୁ କୁହାଯାଇଛି ।

ପ୍ରାର୍ଥୀମାନେ ସତ୍ୟପାଠରେ ପୂର୍ବରୁ କୌଣସି ମୋକଦ୍ଦମାରେ ଦଣ୍ଡିତ ହୋଇଥିଲେ ତା’ର ବିବରଣୀ ପ୍ରଦାନ କରିବେ । ଦଣ୍ଡ ବିଧାନର ଅବଧି ଓ ଦଣ୍ଡ ବିରୋଧରେ ଅପିଲ୍ ବା ରିଭିଜନ ସଂପର୍କିତ ତଥ୍ୟ ପ୍ରଦାନ କରିବେ । ମୋକଦ୍ଦମାରେ ଯଦି ଅଦାଲତଙ୍କ ଦ୍ୱାରା ଖଲାସ ବା ନିଦେ୍ର୍ଦାଷ ସାବ୍ୟସ୍ତ ହୋଇଛନ୍ତି, ତା’ର ବିବରଣୀ ପ୍ରଦାନ କରିବେ ଏବଂ ଅଦାଲତରେ ଚାଲୁଥିବା ମୋକଦ୍ଦମା ସଂପର୍କରେ ତଥ୍ୟ ପ୍ରଦାନ କରିବେ । ପ୍ରାର୍ଥୀମାନଙ୍କର ସମ୍ପତି ତାଲିକା ଦେବାପାଇଁ ଏଥିରେ କୁହାଯାଇଛି ।

ନିଜର ଏବଂ ପରିବାର ସଦସ୍ୟଙ୍କର ଚାଷ ଜମି ସମ୍ପର୍କିତ ସବିଶେଷ ବିବରଣୀ ପ୍ରଦାନ କରିବେ ଏଥିସହିତ ସହରାଂଚଳରେ ଥିବା ଚାଷ ଜମି ଏବଂ ଘର ଉପଯୋଗୀ ଜମିର ତଥ୍ୟ ପ୍ରଦାନ କରିବେ । ପ୍ରାର୍ଥୀଙ୍କର ଯାନ ବାହାନ ଯଥା, କାର, ଜିପ୍, ଟ୍ରକ ଓ ବସ୍ ଆଦିର ତଥ୍ୟ ଦେବା ସହିତ ବର୍ତମାନର ବଜାର ଦର କ’ଣ ରହିଛି, ସତ୍ୟପାଠରେ ଦର୍ଶାଇବାକୁ କୁହାଯାଇଛି ।

ସୁନା, ରୂପା ଆଦି ଅଳଙ୍କାର ଓ ତା’ର ମୂଲ୍ୟ ଆଫିଡେଭିଟରେ ଦର୍ଶାଇବେ । ବ୍ୟାଙ୍କରେ ଥିବା ଗଛିତ ଜମାରାଶି ସଂପର୍କରେ ମଧ୍ୟ ବିବରଣୀ ସତ୍ୟପାଠରେ ଦାଖଲ କରିବେ । ସରକାରଙ୍କୁ ପ୍ରଦାନ କରୁଥିବା ବିଭିନ୍ନ ଟିକସ ତଥ୍ୟ ପ୍ରଦାନ କରିବାକୁ ସତ୍ୟପାଠରେ କୁହାଯାଇଛି ।

Comments (0)
Add Comment