୨୭ରେ ରାଜ୍ୟସ୍ତରୀୟ ବିଶାଳ ପାଇକ ସମାବେଶ

ପାଇକ ମହାସଂଘ ପକ୍ଷରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଦାବିପଦ୍ର ପ୍ରଦାନ

ଭୁବନେଶ୍ୱର :ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା ଦାବିରେ ଓଡ଼ିଶା ବୀର ମହାସଂଘ ପକ୍ଷରୁ ରାଜ୍ୟପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସଂସ୍କୃତିମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଓଡ଼ିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ଓଡ଼ିଶା ବୀର ମହାସଂଘର ସାଧାରଣ ସମ୍ପାଦକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ, କାର୍ଯ୍ୟକ୍ରମ ସଂଯୋଜକ ନରେନ୍ଦ୍ର ପୃଷ୍ଟି, ବିଶିଷ୍ଟ ଐତିହାସିକ ରବୀନ୍ଦ୍ରନାଥ ପରିଡ଼ା, ସମାଜସେବୀ ଗଣେଶ ସାମନ୍ତ ପ୍ରମୁଖ ଏକ ପ୍ରତିନିଧି ଦଳ ମହାସଂଘ ପକ୍ଷରୁ ରାଜଭବନ ଯାଇ, ପାଇକ ବିଦ୍ରୋହ କିପରି ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ସେ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ ।

୧୮୧୭ ମସିହାରେ ପାଇକ ବିଦ୍ରୋହ ଖୋର୍ଦ୍ଧାରୁ ଆରମ୍ଭ ହୋଇଥିବା ବେଳେ ୧୮୫୭ ମସିହାରେ ସିପାହୀ ବିଦ୍ରୋହ ଆରମ୍ଭ ହୋଇଥିଲା । ତେଣୁ ଐତିହାସିକ ତଥ୍ୟ ଦୃଷ୍ଟିକୋଣରୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ବୋଲି ଘୋଷଣା କରିବାକୁ ରାଜ୍ୟପାଳଙ୍କ ମାଧ୍ୟମରେ ଦେଶର ମହାମହୀମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସଂସ୍କୃତିମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ମହାସଂଘର ପ୍ରତିନିଧିମାନେ ଦାବିପତ୍ର ପ୍ରଦାନ କରିଥିଲେ ।

ଏହି ଅବସରରେ ଆଉ ଏକ ରାଜ୍ୟସ୍ତରୀୟ ବିରାଟ ଜନଗର୍ଜନ ସମାବେଶ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ ବୋଲି ମହାସଂଘ ତରଫରୁ ଘୋଷଣା କରାଯାଇଛି । ଯଦି ସରକାର ଏହା ସତ୍ୱେ ଦାବି ପୂରଣ ନ କରନ୍ତି, ତେବେ ଆସନ୍ତା ଜାନୁୟାରୀ ମାସ ୨୪ ତାରିଖ ପାଇକ ବିଦ୍ରୋହର ମହାନ୍ ସେନାପତି ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଉତ୍ସବ ଦିଲ୍ଲୀର ଲାଲକିଲ୍ଲାରେ ପାଳନ କରାଯିବ ।

ଏହି ଉତ୍ସବକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପି ଦଳର ସମସ୍ତ ସାଂସଦ, ବିଜେଡ଼ି ଦଳର ସମସ୍ତ ସାଂସଦ ଓ କଂଗ୍ରେସ ଦଳର ସାଂସଦଙ୍କୁ ନିମନ୍ତ୍ରଣ କରାଯିବ । ଏହା ସହ ପାଇକ ଆଖଡ଼ା ସେଠାରେ ପ୍ରଦର୍ଶନ କରାଯିବ ଓ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସଂସ୍କୃତିମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା ପାଇଁ ବୋଲି ମହାସଂଘ ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି ।

ଏହି ରାଜ୍ୟସ୍ତରୀୟ ପାଇକ ସମାବେଶରେ ଯୋଗଦାନ କରିବା ପାଇଁ ଯେଉଁ ପାଇକ ଦଳମାନେ ଚାହୁଁଛନ୍ତି, ସେମାନେ ଫୋନ୍ ନଂ-୯୪୩୭୨୮୭୮୦୬ ସହ ଯୋଗାଯୋଗ କରିବାକୁ ମହାସଂଘ ତରଫରୁ ନିବେଦନ କରାଯାଇଛି ।

Comments (0)
Add Comment