୪ର୍ଥ ଜିଲ୍ଲା ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ

ଢେଙ୍କାନାଳ: ଢେଙ୍କାନାଳ ସହରର ପୌରାଞ୍ଚଳସ୍ଥିତ ପୁରୁଣା ଜିଲା ପରିଷଦ କକ୍ଷରେ ଗୁରୁଦେବଜୀ ମାର୍ଶାଲ୍ ଆର୍ଟ ଏକାଡେମୀ ଓ ଆମେଚର ତାଇକୋଣ୍ଡୋର ମିଳିତ ଆନୁକୂଲ୍ୟରେ ୪ର୍ଥ ଜିଲ୍ଲା ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଗୋପିନାଥ ମିଶ୍ର ଫାଉଣ୍ଡେସନ୍ ଓ ଗୁରୁଦେବଜୀ ଫାଉଣ୍ଡେସନ୍ ସହଯୋଗରେ ଆୟୋଜିତ ଏହି ଜିଲା ସ୍ତରୀୟ ପ୍ରତିଯୋଗିତାକୁ ଜିଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପୌରପାଳିକାର ନିର୍ବାହୀ ଅଧିକାରୀ ଅତନୁ ସାମନ୍ତ, ଜିଲା କ୍ରୀଡା ଅଧିକାରୀ ପ୍ରଦୀପ୍ତ ମହାନ୍ତି, ଶିଳ୍ପୀ ପରେଶ ପଟ୍ଟନାୟକ, ପୂର୍ବତନ ନଗରପାଳ ଶୁଧାଂଶୁ ଦଳେଇ, ବରିଷ୍ଠ ସାମ୍ବାଦିକ ତଥା ଉପଦେଷ୍ଟା ଅଥୟ କୁମାର ସାହୁ, ଜିଲା ବିଜେଡି ସାଧାରଣ ସଂପାଦକ ଦେବାଶିଷ ମିଶ୍ର, ସାମ୍ବାଦିକ ଦିଲ୍ଲୀପ ମିଶ୍ର ଓ ଏକାଡେମୀର ମୁଖ୍ୟ ପ୍ରଶିକ୍ଷକ ଇଂ ସୌମ୍ୟବ୍ରତ ସାହୁ ଉପସ୍ଥିତ ରହି ପ୍ରଥମ ମ୍ୟାଚ୍ର ଶୁଭାରମ୍ଭ କରିଥିଲେ । ଏହି ପ୍ରତିଯୋଗିତାରେ ସାରା ଜିଲାର ୫୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଭାଗନେଇ ନିଜ ନିଜ ଶାରୀରିକ ଦକ୍ଷତା, କୌଶଳ, ଫାଇଟ୍ ଓ ପୁମ୍ସେ ପ୍ରତିଯୋଗିତାରେ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ପିଲାର ଶାରୀରିକ ଓ ମାନସିକ ବିକାଶରେ ତାଇକୋଣ୍ଡୋ ଖେଳ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ସେହିପରି ଅପରାହ୍ନରେ ପ୍ରତିଯୋଗିତାର ଉଦଯାପନୀ ସମାରୋହ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ଦୀପକ କୁମାର ମିଶ୍ର, ସମାଜସେବୀ ଡାକ୍ତର ଶାନ୍ତି ଭୂଷଣ ପଣ୍ଡା, ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ର ଅଧ୍ୟକ୍ଷ ବିଜୟ କୁମାର ସାହୁ, ସେଂଟ୍ ଜାଭିୟର୍ ସ୍କୁଲ୍ର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପଦକ ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ବିଜୟ ଲାଭ କରିଥିବା ୬୪ଜଣ କୃତି ପ୍ରତିଯୋଗୀଙ୍କୁ ୧୬ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ ଓ ୩୨ଟି କାଂସ୍ୟ ପଦକ ପ୍ରଦାନ କରାଯାଇଥିଲା ।

ଏହାସହ ପ୍ରତିଯୋଗିତାକୁ ସଂଚାଳନ କରିଥିବା ରେଫ୍ରୀ ଇତିସ୍ମିତା ଚୌଧୁରୀ, ରାଜେନ୍ଦ୍ର ବେହେରା, ମୁକ୍ତିକାନ୍ତ ଦାସ, ପ୍ରିୟବ୍ରତ ବରାଳ, ସୋହମ୍ ସାହୁ, ପି. ଶ୍ରୀନିବାସ ରାଓ, ଜାଗୃତି ତ୍ରିପାଠୀ ଏବଂ କୋଚ୍ ଡାର୍ଲିନ୍ ଡାଲ୍ଟନ୍, ପ୍ରତାପ ନାୟକ ଓ ଇନ୍ଦ୍ରଜିତ୍ ସାହୁଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ପ୍ରତିଯୋଗିତାର ଶେଷରେ ସଦସ୍ୟା ଦେବଦର୍ଶିନୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ରବିନ୍ଦ୍ର ପରିଡା, ଆଶୁତୋଷ ପାଢୀ, ଆଶୁତୋଷ ମହାପାତ୍ର, ପ୍ରିୟଙ୍କା ସାହୁ, ଅନୁଷ୍ଠାନର ଛାତ୍ରଛାତ୍ରୀ ଓ ଅବିଭାବକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

Comments (0)
Add Comment