ତହସିଲଦାରଙ୍କ ଦବଙ୍ଗଗିରି : ଜଣେ ଦଳିତ ଦିନମଜୁରିଆ ଯୁବକକୁ କୋଣାର୍କ ଥାନାରେ ବସାଇଛନ୍ତି

କୋଣାର୍କ : କୋଣାର୍କରେ ଆଜି ଦେଖିବାକୁ ମିଳିଛି ତହସିଲଦାରଙ୍କ ଦବଙ୍ଗଗିରି । ବିଶେଷ କାରଣ ନଥାଇ ଜଣେ ଦିନମଜୁରିଆ ଦଳିତ ଯୁବକକୁ କୋଣାର୍କ ଥାନାରେ ବସାଇଛନ୍ତି ତହସିଲଦାର । କାମକରୁଥିବା ବେଳେ ପୋଲିସ ଗାଡିରେ ସମ୍ପୃକ୍ତ ଯୁବକକୁ ଜଣେ କୁଖ୍ୟାତ ଅପରାଧୀ ଭାବେ ଉଠାଇ ଆଣିଲେ ତହସିଲଦାର । ବିନା ଲିଖିତ ଅଭିଯୋଗରେ କୋଣାର୍କ ପୋଲିସ ମଧ୍ୟ ସମ୍ପୃକ୍ତ ଯୁବକକୁ ଦିନସାରା ଥାନାରେ ବସାଇଲେ ।  ଯୁବକକୁ ସମ୍ପର୍କୀୟ ମାନେ ବ୍ୟକ୍ତିଗତ ମୁଚାଲିକାରେ କୋଣାର୍କ ଥାନାରୁ ତାକୁ ବିଳମ୍ବିତ ରାତ୍ରିରେ ଆଣିଛନ୍ତି  ।

ଘଟଣାରୁ ପ୍ରକାଶ ଯେ, କୋଣାର୍କ ବସଷ୍ଟାଣ୍ଡ ଅଞ୍ଚଳରେ ଅଜୟ ସେଠୀ ନାମକ ଜଣେ ଦଳିତ ଯୁବକ ୱେଲ୍ଡିଂ ଦୋକାନରେ କାମ କରି ପେଟ ପୋଷେ । ନିକଟରେ ଦୋକାନ ଖଣ୍ଡେ କରିବାକୁ ଜମି ଖଣ୍ଡେ କିଣି ଘରଟିଏ ତିଆରି କରୁଛି । କୋଣାର୍କ ଅଞ୍ଚଳ ବେ-ବନ୍ଦୋବସ୍ତ ହୋଇଥିବାରୁ ଗୋପ ତହସିଲଦାର ତାକୁ ଘର ତୋଳିବାକୁ ମୌଖିକ ଭାବେ ମନା କରିଥିଲେ । ଅଜୟ ତହସିଲଦାରଙ୍କୁ ଅନୁରୋଧ କରିବାରୁ ସେ ଘର କାମ ଚାଲୁରଖିବାକୁ ସମ୍ମତି ଦେଇ ଆଜି ଭେଟିବାକୁ କହିଥିଲେ ।

ଆଜି ଅଜୟ ତହସିଲଦାରଙ୍କୁ ନଭେଟିବାରୁ ତହସିଲଦାର ପୋଲିସ ଗାଡି ସହ ଆସି ତାକୁ କାମ ଜାଗାରୁ ଜଣେ କୁଖ୍ୟାତ ଅପରାଧୀ ଭାବେ ଉଠାଇ ନେଲେ । ପୋଲିସ ପାଖରେ କୌଣସି ଲିଖିତ ଅଭିଯୋଗ ନଥିଲେ ମଧ୍ୟ ପୋଲିସ ଅଜୟକୁ ରାତି ଅଧ ଯାଏ ବସାଇ ରଖିଲେ ।

ପ୍ରକାଶ ଯେ, କୋଣାର୍କ ଏବେ ବେବନ୍ଦୋବସ୍ତ ଅଞ୍ଚଳ ହୋଇରହିଥିବାରୁ କୌଣସି ପ୍ରଜାଙ୍କ ନିକଟରେ ନିଜର ଜମି ପଟ୍ଟା ନାହି ।ତେଣୁ ଅଯଥାରେ ଲୋକଙ୍କୁ ହଇରାଣ କରିବା ପ୍ରଶାସନିକ ଅଧିକାରୀଙ୍କ ପାଇଁ ଖୁବ ସହଜ ହୋଇଛି । କୋଣାର୍କରେ ଅନାବାଦି ଓ ଗୋଚର ଜମିରେ ଶହ ଶହ ବେଆଇନ ନିର୍ମାଣ ହେଉଥିବା ବେଳେ ତହସିଲଦାର ଏହାକୁ ଦେଖି ନପାରି ଦୋକାନ ଘର କରୁଥିବା ଦଳିତ ଯୁବକକୁ ଏତାଦୃଶ ନିର୍ଯାତନା ଦେବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଉଛି । ବିନା ଲିଖିତ ନୋଟିସରେ ଏପରି ନିର୍ଯାତନା ଦିଆଯାଉଥିବାରୁ ଅଜୟ ମାନବାଧିକାର କମିଶନରେ ଅଭିଯୋଗ କରିବାକୁ ପ୍ରସ୍ତୁତ ହେଉଥିବା କହିଛି ।

ସୂଚନାଯୋଗ୍ୟ, କୋଣାର୍କରେ ଦିନ ଦ୍ଵିପ୍ରହରରେ ରାସ୍ତା କଡରେ ଶହ ଶହ ଘର ବେଆଇନ ଭାବେ ଗୋଚର ଓ ଅନାବାଦି ଜାଗାରେ ପ୍ରଭାବଶାଳୀ ଲୋକମାନେ ତୋଳିଚାଲିଛନ୍ତି । ଏପରି ଅନେକ ବେଆଇନ ନିର୍ମାଣକୁ ଉଛେଦ କରିବା ନିମନ୍ତେ ମାନ୍ୟବର ଉଚ ନ୍ୟାୟାଳୟଙ୍କ ନିର୍ଦେଶ ଥିଲେ ମଧ୍ୟ ସେଥିପ୍ରତି ଦୃଷ୍ଟି ନଦେଇ ଗାରିବଗୁରୁବାଙ୍କୁ ହଇରାଣ କରିବା ଘଟନା ସାଧାରଣରେ ନିନ୍ଦା କରାଯାଉଛି ।

Comments (0)
Add Comment