ବଦାଳୋ ପଞ୍ଚାୟତରେ ଶିଶୁ ସୁରକ୍ଷା ନେଇ ସଚେତନତା ବୈଠକ

ଓଡ଼ାପଡ଼ା: ଓଡ଼ାପଡ଼ା ବ୍ଲକର ବଦାଳୋ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ସମିତିର ବୈଠକ ଅନୁଷ୍ଠିତ ହୋଇଛି। ବିଶ୍ୱ ଯୁବ କେନ୍ଦ୍ର ଦ୍ୱାରା ପରିଚାଳିତ ‘ଜଷ୍ଟ ରାଇଟ୍ସ ଫର ଚିଲଡ୍ରେନ୍ସ’ର ସହଯୋଗରେ ଆୟୋଜିତ ଏହି ବୈଠକ ସରପଞ୍ଚ କ୍ରିଷ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ହୋଇଥିଲା।

ବୈଠକରେ ସମିତିର ସଭାପତି ତଥା ସରପଞ୍ଚ କ୍ରିଷ୍ଣା ମହାନ୍ତି, ଉପସଭାପତି ନାଏବ ସରପଞ୍ଚ ଜାନକୀ ବେହେରା, ହାଇସ୍କୁଲ ମୁଖ୍ୟଶିକ୍ଷକ ସନ୍ତୋଷ କୁମାର ମହାପାତ୍ର, ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରତିନିଧି ଜ୍ୟୋତିର୍ମୟୀ ସାହୁ, ଏସ୍‌ଏମ୍‌ସି ସଦସ୍ୟ ଅରୁଣ ବେହେରା, କିଶୋର ବାଳକ ଚିକୁନୁ ବିଶ୍ୱାଳ, କିଶୋରୀ ବାଳିକା, ୱାର୍ଡ ସଦସ୍ୟ ଏବଂ ଜିପିଏଲ୍‌ଏଫ୍‌ ସଦସ୍ୟମାନେ ଉପସ୍ଥିତ ଥିଲେ।

ବିଶ୍ୱ ଯୁବ କେନ୍ଦ୍ରର ମନସ୍ମିତା ନାୟକ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ବୈଠକରେ ବାଲ୍ୟବିବାହ ନିଷେଧ ଆଇନ-୨୦୦୬ ସମ୍ପର୍କରେ ସଚେତନତା ସୃଷ୍ଟି ସହ ବାଲ୍ୟବିବାହ ଯୋଗୁଁ ଝିଅମାନଙ୍କ ଉପରେ ପଡ଼ୁଥିବା ଶାରୀରିକ, ମାନସିକ, ପାରିବାରିକ ଓ ଆର୍ଥିକ ପ୍ରଭାବ ଉପରେ ଆଲୋଚନା କରାଯାଇଥିଲା। ଏଥିସହ ଶିକ୍ଷା ଓ ଆତ୍ମନିର୍ଭରଶୀଳତାର ଅଭାବ ଏବଂ ବାଲ୍ୟବିବାହର ସାମାଜିକ କୁପରିଣାମ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।

ବାଲ୍ୟବିବାହ ଆୟୋଜନ କରୁଥିବା ବ୍ୟକ୍ତି, ଏଥିରେ ଯୋଗଦେଉଥିବା ବ୍ୟକ୍ତି ଓ ସହଯୋଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ଦଣ୍ଡବିଧାନ ଏବଂ ଏହାର ନିରାକରଣ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହାସହ ଶିଶୁ ଶ୍ରମିକ, ଶିଶୁ ଚାଲାଣ ଓ ଶିଶୁମାନଙ୍କ ଉପରେ ହେଉଥିବା ଯୌନ ନିର୍ଯାତନାରୁ ସୁରକ୍ଷା ପାଇଁ ପୋକ୍ସୋ ଆଇନ ସମ୍ପର୍କରେ ଆଲୋଚନା କରାଯାଇ, ଶିଶୁ ଅଧିକାର ଉଲ୍ଲଂଘନ ଘଟଣାରେ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ହୋଇଥିଲା।

କୌଣସି ଶିଶୁର ଅଧିକାର ଉଲ୍ଲଂଘନ ଦେଖିଲେ ଚାଇଲ୍ଡ ହେଲ୍ପଲାଇନ୍‌ର ଦେୟମୁକ୍ତ ନମ୍ବର ୧୦୯୮ରେ ଯୋଗାଯୋଗ କରି ଜଣାଇବାକୁ ଉପସ୍ଥିତ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା।

ବୈଠକରେ ପ୍ରଧାନମନ୍ତ୍ରୀ କନ୍ୟା ବିବାହ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏଡିଓ ମୀନାରଭା ପତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜବ୍‌ କାର୍ଡ ଓ ବିବିଜି ରାମ ଜି ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ମୁଖ୍ୟଶିକ୍ଷକ ସନ୍ତୋଷ କୁମାର ମହାପାତ୍ର ଶିଶୁମାନେ କିପରି ସୁରକ୍ଷିତ ରହିବେ ଏବଂ ନିୟମିତ ଭାବେ ବିଦ୍ୟାଳୟ ଯିବେ, ସେନେଇ ଅଭିଭାବକ ଓ ସମୁଦାୟର ଭୂମିକା ଉପରେ ଆଲୋକପାତ କରିଥିଲେ।

ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ବୈଠକର ସମାପ୍ତି ଘୋଷଣା କରାଯାଇଥିଲା।

Comments (0)
Add Comment