ଅନୁସୂଚିତ ଜାତି ଲୋକଙ୍କୁ ରୁଙ୍ଗଟା କମ୍ପାନୀର ଠକେଇର ତଦନ୍ତ ଦାବିରେ ବିକ୍ଷୋଭ

ଢେଙ୍କାନାଳ : ଆଜି ମେରାମଣ୍ଡଳୀ କଲୋନୀ ସାହିର ଅନୁସୂଚିତ ଜାତି (ଉପଜାତି-ପାଣ) ବର୍ଗର ଲୋକମାନଙ୍କଠାରୁ ଦୀର୍ଘ ୧୪ ବର୍ଷ ତଳୁ ଜମି ନେଇ ଆଜି ପର୍ଯ୍ୟନ୍ତ ଜମିହରା ଏହି ଲୋକମାନଙ୍କ ପରିବାରରୁ କୌଣସି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ନିଯୁକ୍ତି ନ ଦେବା, ଚାକିରୀ ମାଗିଲେ ମିଥ୍ୟା ଏତଲା ଦେଇ ପୁଲିସ ଲଗାଇ ଏସ.ସି. ଯୁବକମାନଙ୍କୁ ଥାନାରେ ନିସ୍ତୁକ ମାଡ଼ ମାରି ସଂଗୀନ ଦଫା ଲଗାଇ କେଶ କରି ଶାରୀରିକ, ମାନସିକ ଓ ଆର୍ଥିକ ନିର୍ଯ୍ୟାତନା ଦେବା, ଗାଁ ରାସ୍ତାକୁ ସଦାସର୍ବଦା ବିପଦ ସଙ୍କୁଳ କରି ରଖିବା, ଧୂଳି ଓ ଧୂଆଁରେ ଛୋଟ ଗାଁଟିକୁ ସଂପୂର୍ଣ୍ଣ ପୋତି ଦେବା ଏବଂ ଆଂଚଳିକ ବିକାଶ ପାଣ୍ଠିରେ ସାମାନ୍ୟ ପାନୀୟ ଜଳମୁନେ୍ଦ ଯୋଗାଇ ନ ଦେବା ପ୍ରତିବାଦରେ ଦଳିତ ଶୋଷଣ ମୁକ୍ତି ମଂଚର ନେତା ପି୍ରୟ ନାୟକ, ପଣ୍ଡିତ ନାୟକ, ବିରଂଚି ନାୟକ, ତ୍ରଲୌକ୍ୟ ନାୟକ, ଟୁଟୁ ନାୟକ, ଦାଶରଥି ନାୟକ, ରଥିଆ ନାୟକ ପ୍ରମୁଖଙ୍କ ନେତୃତ୍ୱରେ ଏକ ବିକ୍ଷୋଭ ଓଡ଼ାପଡ଼ା ତହସିଲ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି ।

ଓଡ଼ାପଡ଼ା ହାଟରୁ ଏକ ସୁଶୋଭିତ ଶୋଭାଯାତ୍ରାରେ ବିକ୍ଷୋଭକାରୀମାନେ ଆସିଥିଲେ ।ସେମାନଙ୍କ ହାତରେ ଥିବା ବ୍ୟାନରରେ ଲେଖାଯାଇଥିଲା ଯେ, “ନବୀନବାବୁଙ୍କ ସ୍ୱଚ୍ଛ ସରକାର ଜବାବ ଦିଅ, ଉପଜାତି ପାଣଙ୍କ ଠାରୁ ଜମି ନେଇ ସେମାନଙ୍କୁ ଚାକିରୀ ନ ଦେଇ ଚାକିରୀ ମାଗିବାରୁ ମିଥ୍ୟା ମୋକଦ୍ଦମା କରିବା କି ଆପଣଙ୍କ ସ୍ୱଚ୍ଛ ସରକାର” ଏବଂ କମ୍ପାନୀର ବେଆଇନ କାମ ବିରୋଧରେ ବହୁ ପ୍ରକାର ସ୍ଲୋଗାନ ଦେଇ ବିକ୍ଷୋଭକାରୀମାନେ ତହସିଲ ଅଫିସରେ ପହଁଚିଥିଲେ ।

ଘଟଣାର ବିବରଣୀରୁ ପ୍ରକାଶ ଯେ, ରୁଙ୍ଗଟା କମ୍ପାନୀର ଅଫିସରମାନେ ଏହି ଲୋକମାନଙ୍କ ଘରକୁ ଆସି ଜମି ଦେଲେ, ଚାକିରୀ ଦିଆଯିବାର ପ୍ରଲୋଭନ ଦେଇ “ଭଦ୍ରଲୋକଙ୍କ ମୌଖୀକ ଚୁକ୍ତି” କରିଥିଲେ ।

କମ୍ପାନୀ ନାମରେ ଜମି କରାଯିବ ବୋଲି କହି ଲୋକମାନଙ୍କୁ ଡାକି ନେଇ ବିକ୍ରେତାମାନେ ଜାଣି ନଥିବା, ଚିହ୍ନି ନଥିବା ଯଶବନ୍ତ ମଲ୍ଲିକ, ପିତା ପଦ୍ମନାଭ ମଲ୍ଲିକ, ସହିଦନଗରଙ୍କ ନାମରେ କବଲା କରି ନେଲେ ।

ପ୍ରାୟ ଟିପ ଦେଉଥିବା ଏହି ଲୋକମାନଙ୍କର ବିକ୍ରୟ ଦଲିଲ ଇଂରାଜୀରେ ଲେଖା ଯାଇଥିବାରୁ ଏହା କାହା ନାମରେ କରାଗଲା ବୋଲି ଜାଣିବାର କୌଣସି ସୁଯୋଗ ନଥିବାରୁ ସେମାନେ ଏହି ଚଂଚକତା ବୁଝି ପାରିଲେ ନାହିଁ । ତେଣୁ ଚାକିରୀ ମାଗିବାରୁ ରୁଙ୍ଗଟା କମ୍ପାନୀ ସେମାନଙ୍କଠାରୁ ଜମି ନେଇ ନାହିଁ ବରଂ ଯଶବନ୍ତ ମଲ୍ଲିକଙ୍କଠାରୁ କମ୍ପାନୀ ଜମି ନେଇଛନ୍ତି ବୋଲି “ସଂପୂର୍ଣ୍ଣ ମିଥ୍ୟା କଥା କହି ଚାକିରୀ ଦେଉନାହାଁନ୍ତି ।

” କମ୍ପାନୀର ଏତାଦୃଶ କାର୍ଯ୍ୟ ଏସ.ସି ବର୍ଗର ଲୋକମାନଙ୍କ ପ୍ରତି ସଂପୂର୍ଣ୍ଣ ଠକେଇ ହୋଇଥିବାରୁ ସରକାରଙ୍କର ସ୍ଥାନୀୟ ମାଜିଷ୍ଟ୍ରେଟ ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରିବା ଜରୁରୀ ଅଟେ । ତତ୍ସହିତ ମୂଳ ପଟ୍ଟାରେ ଖତିୟାନ ନମ୍ବର ୧୭୧ରେ ୨୫ଜଣଙ୍କ ଅଂଶୀଦାରଙ୍କ ନାମଥିବା ସତ୍ୱେ ଏବଂ ସେମାନଙ୍କ ମଧ୍ୟରେ ୧୦ଜଣଙ୍କ ଅନୁପସ୍ଥିତି ଓ ସମ୍ମତିବିନା ସବ୍ ରେଜିଷ୍ଟର ଅଫିସ୍ କିଭଳି ରେଜେଷ୍ଟି୍ର କଲେ ଏବଂ ତହସିଲ ଅଫିସ କେମିତି ସତ୍ୱର ମାଲିକାନା ପରିବର୍ତନ କରି ନୂତନ ପଟ୍ଟା କଲେ ତାହାର ତଦନ୍ତ କରିବା ପାଇଁ ଆଜିର ବିକ୍ଷୋଭକାରୀମାନେ ଦାବି କରିବା ସହିତ ସମ୍ମତି ଦେଇ ନ ଥିବା ଅଂଶୀଦାରମାନଙ୍କର ସ୍ୱାକ୍ଷର ସମ୍ବଳିତ ଏକ ଦରଖାସ୍ତ ତହସିଲଦାରଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରିଥିଲେ ।

ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ସଭାରେ ଦଳିତ ଶୋଷଣମୁକ୍ତି ମଂଚର ଢେଙ୍କାନାଳ ଜିଲ୍ଲା ଆବାହକ ପ୍ରିୟ ନାୟକ ସଭାପତିତ୍ୱ କରି ସିପିଆଇ(ଏମ୍) ନେତା ସର୍ବଜ୍ଞ ସାହୁଙ୍କ ସଭା ପରିଚାଳନା କରିବା ପାଇଁ ଦାୟିତ୍ୱ ଅର୍ପଣ କରିବା ପରେ ଏହି ଆନେ୍ଦାଳନକୁ ସମର୍ଥନ କରି ଢେଙ୍କାନାଳ ଜିଲ୍ଲାର କଂଗ୍ରେସ ମୁଖପାତ୍ର ନିର୍ମଳ ମିଶ୍ର, ସମାଜବାଦୀ ସରୋଜ ଶତପଥୀ, ବରିଷ୍ଠ ସମାଜସେବୀ ତଥା ଆଡଭୋକେଟ ମନୋରଞ୍ଜନ ପଟ୍ଟନାୟକ, ସିପିଆଇ(ଏମ୍) ଜିଲ୍ଲା ପର୍ଯ୍ୟବେକ୍ଷକ ବଦି୍ର ନାରାୟଣ ଦାଶ, ସିପିଆଇ ନେତା ତଥା ବରିଷ୍ଠ ନେତା ରବି ରଥ, ବନ୍ୟପ୍ରାଣୀ ତଥା ହାତୀ କ୍ଷତିଗ୍ରସ୍ତ ଚାଷୀ ସଂଘର ଆବାହକ ଅଶୋକ ପୃଷ୍ଟିଙ୍କ ସମେତ ବହୁ ପୂର୍ବତନ ସରପଂଚ ଓ ଲୋକପ୍ରତିନିଧିମାନେ କମ୍ପାନୀର ଭଳି ଜନବିରୋଧୀ ବେଆଇନ କାର୍ଯ୍ୟକ୍ରମଗୁଡିକର ସମାଲୋଚନା କରି ବକ୍ତବ୍ୟ ରଖିଥିଲେ ।

ଶେଷରେ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ତୁରନ୍ତ ନିର୍ଦ୍ଧିଷ୍ଟ ସମୟସୀମା ବ୍ୟବଧାନରେ ରୁଙ୍ଗଟା କମ୍ପାନୀର ବେଆଇନ କାର୍ଯ୍ୟକ୍ରମର ତଦନ୍ତ କରିବା ସହ ବେଆଇନ ଭାବରେ ପ୍ରସ୍ତୁତ କରାଯାଇଥିବା ଦାଖଲ ଖାରଜ କେଶର ସରଜମିନ୍ ତଦନ୍ତ କରି ପଟ୍ଟା ଖାରଜ କରିବା ପାଇଁ ଦାବି କରିଥିଲେ ।

Comments (0)
Add Comment