ଢେଙ୍କାନାଳ : କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋରନ୍ଦା ମାଘମେଳା ବୁଲି ଦେଖିଛନ୍ତି । ରବିବାର ଅପରାହ୍ନରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗାଦି ମନ୍ଦିରରେ ପହଞ୍ଚି ଗାଦିମନ୍ଦିରର ପଶ୍ଚିମ ଦ୍ୱାରରେ ପ୍ରବେଶ କରିଥିଲେ । ସେ ମନ୍ଦିର ଚାରିପାଶ୍ୱର୍ ବୁଲି ପରିକ୍ରମା କରିବା ସହ ସତ୍ୟ ମହିମା ଧର୍ମଧାମ ପରିଚାଳନା ସମିତିର ସଭାପତି ସୁକଦେବ ବାବା ଙ୍କ ସହ ଅନ୍ୟ ସନ୍ୟାସୀ,ସାଧୁସନ୍ଥଙ୍କ ସହ ଆଲୋଚନା କରିଥିଲେ । ମହିମା ସନ୍ୟାସୀ ମାନଭ୍କ ଶ୍ରୀ ପ୍ରଧାନ ମୁଣ୍ଡ ନୁଆଇ ପ୍ରଣିପାତ କରିଥିଲେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ଶୂନ୍ୟବାଦର ପୂଣ୍ୟପୀଠ ଓ ଶୂନ୍ୟବ୍ରହ୍ମଙ୍କ ଉପାସନାର ପବିତ୍ର ଭୂମି ଯୋରନ୍ଦାକୁ ଆସି ମୁଁ ସୌଭାଗ୍ୟଶାଳୀ ମନେ କରୁଛି । ଯୋରନ୍ଦା ମେଳା, ବିଶ୍ୱକଲ୍ୟାଣ ପାଇଁ ପୂଜ୍ୟ ମହିମା ସାଧୁମାନଙ୍କ ଏକତା ଏବଂ ସମୂହ ପ୍ରାର୍ଥନା ମେଳା । ଯୋରନ୍ଦା ମେଳାକୁ ଆସି ମହିମାସ୍ୱାମୀଙ୍କର କରୁଣା ଏବଂ ଉପସ୍ଥିତ ସାଧୁବୃନ୍ଦଙ୍କ ଆଶୀର୍ବାଦ ଗ୍ରହଣ କରିଛି ।
ମହିମା ଧର୍ମର ପ୍ରାଣ ପ୍ରତିଷ୍ଠାତା ମହିମା ଗୋସାଇଁଙ୍କର ଅମୂଲ୍ୟ ବାର୍ତ୍ତା ଏବଂ ମହିମା ଧର୍ମର ମହାନ ପ୍ରଚାରକ ସନ୍ଥକବି ଭୀମଭୋଇ ମାର୍ମିକ ସାହିତ୍ୟ ମାଧ୍ୟମରେ ଦେଇଥିବା ଜଗତ କଲ୍ୟାଣର ବାର୍ତ୍ତା ଆମ ସମସ୍ତଙ୍କ ପାଇଁ ପ୍ରେରଣା । ସମାଜର ନିଷ୍ପେସିତ, ବଞ୍ଚିତ ତଥା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକମାନେ ମହିମା ସମାଜର ଆଧ୍ୟାତ୍ମିକ ଦୁନିଆ, ପରମ୍ପରା ତଥା ବ୍ୟବସ୍ଥା ସହ ଯୋଡି ହେଉଛନ୍ତି ।