କ୍ରୀଡା ପ୍ରତିଯୋଗିତା ଓ ରକ୍ତ ବର୍ଗୀକରଣ

ଢେଙ୍କାନାଳ : ଓଡିଶାର ବିଶିଷ୍ଟ ସମାଜସେବୀ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସପ୍ତଶଯ୍ୟା ପଞ୍ଚାୟତର କମନିଙ୍ଗ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଦିନ ଅଙ୍କ ଦୌଡ, ଅଖା ଦୌଡ, ବାଟିଚାମଚ ଦୌଡ, ମ୍ୟୁଜିକ୍ ଚେୟାର ଓ ଦଉଡିଡିଆଁ ଆଦି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।

ଏଥିସହ ବିଦ୍ୟାଳୟର ସମସ୍ତ ୪୫ଜଣ ଛାତ୍ରଛାତ୍ରୀଙ୍କର ରକ୍ତ ବର୍ଗୀକରଣ ରକ୍ତଭଣ୍ଡାରର ଟେକ୍ନିସିଆନ୍ ପରମାନନ୍ଦ ପଣ୍ଡା ଓ ତାଙ୍କର ସହଯୋଗୀ ଅଜୟ ସ୍ୱାଇଁଙ୍କ ଦ୍ୱାରା ସଂପନ୍ନ ହୋଇଥିଲା । ଡାକ୍ତର ଶାନ୍ତା ନିବେଦିତା ଓ ଫାର୍ମାସିଷ୍ଟ ନରେଶ ଚନ୍ଦ୍ର ପାଣି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ ।

ସମସ୍ତ ଛାତ୍ରଛାତ୍ରୀଙ୍କୁ “ରାଷ୍ଟ୍ରୀୟ ବାଳସୁରକ୍ଷା କାର୍ଯ୍ୟକ୍ରମ’ ଅନ୍ତର୍ଗତ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା । ଏହି ସମ୍ମିଳିତ କାର୍ଯ୍ୟକ୍ରମରେ ବାଜିରାଉତ ଶିକ୍ଷାନୁଷ୍ଠାନ ସମୁହର ଅଧ୍ୟକ୍ଷ ତଥା ଜିଲ୍ଲା ଜଗନ୍ନାଥ ସେବା ସମିତିର ଉପାଧ୍ୟକ୍ଷ ତାରାପ୍ରସନ୍ନ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ହିଁ ସମ୍ପଦ ହୋଇଥିବାରୁ ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।

ପଦ୍ମଭୂଷଣ ଡଃ ରାଧାନାଥ ରଥ ଜୟନ୍ତୀ କମିଟିର ସଭାପତି ପ୍ରଦୁ୍ୟମ୍ନ ରଥ ଏଥିରେ ଅଧ୍ୟକ୍ଷତା କରି ଡଃ ରଥଙ୍କ ଜୀବନୀ ଓ କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ସପ୍ତଶଯ୍ୟା ସରପଂଚ ଅଭିମନୁ୍ୟ ବେହେରା, ନାଗରିକ ପରିଷଦର ଯୁଗ୍ମ ସଂପାଦକ କ୍ଷେତ୍ରବାସୀ ସାହୁ ଓ ସପ୍ତଶଯ୍ୟାର ସି.ଆର୍.ସି.ସି. ରବିନାରାୟଣ ନାୟକ ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରଞ୍ଜିତ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଆୟୋଜିତ ପ୍ରତିଯୋଗିତାରେ ଦ୍ୱିତୀୟ ଶ୍ରେଣୀର ଅତନୁ ସବ୍ୟସାଚୀ ସାହୁ ମୁ୍ୟଜିକ୍ ଚେୟାରରେ ପ୍ରଥମ ଏବଂ ଅଖା ଦୌଡ ଓ ବାଟି ଚାମୁଚ ଦୌଡରେ ଦ୍ୱିତୀୟ ହୋଇ ଚମ୍ପିୟନ୍ ଘୋଷିତ ହୋଇଛନ୍ତି ।

ସେହିପରି ତୃତୀୟ ଶ୍ରେଣୀର ସାଇସ୍ମିତା ବେହେରା ଦଉଡି ଡିଆଁ ଓ ବାଳିକା ମୁ୍ୟଜିକ୍ ଚେୟାରରେ ପ୍ରଥମ ହୋଇ ରନର୍ସଅପ୍ ହୋଇଛନ୍ତି । ଚତୁର୍ଥ ଶ୍ରେଣୀର ନମ୍ରତା ନାଏକ ଦଉଡି ଡିଆଁରେ ଦ୍ୱିତୀୟ ଓ ଅଙ୍କ ଦୌଡରେ ତୃତୀୟ, ପଂଚମ ଶ୍ରେଣୀର ରାନୀ ନାଏକ ଦୌଡି ଡିଆଁରେ ତୃତୀୟ ଓ ଅଙ୍କ ଦୌଡରେ ଦ୍ୱିତୀୟ, ପଂଚମ ଶ୍ରେଣୀର ପିଙ୍କୁ ନାଏକ ଅଙ୍କ ଦୌଡରେ ପ୍ରଥମ, ଦ୍ୱିତୀୟ ଶ୍ରେଣୀର ବିରେନ୍ ନାଏକ ଅଖା ଦୌଡରେ ପ୍ରଥମ, ପଂଚମ ଶ୍ରେଣୀର ନିର୍ମଳ ନାଏକ ଅଖା ଦୌଡ ବରିଷ୍ଠ ବର୍ଗରେ ପ୍ରଥମ, ପ୍ରଥମ ଶ୍ରେଣୀର ପ୍ରିୟଙ୍କା ବେହେରା ବାଟି ଚାମଚ୍ କନିଷ୍ଠରେ ପ୍ରଥମ, ପ୍ରଥମ ଶ୍ରେଣୀର ଅଶୋକ ବେହେରା କନିଷ୍ଠ ବର୍ଗ ଅଖା ଦୌଡରେ ଦ୍ୱିତୀୟ, ବାଳିକା ମୁ୍ୟଜିକ୍ ଚେୟାରରେ ପ୍ରଥମ ଶ୍ରେଣୀର ସୋନାଲିକା ଦାସ ଦ୍ୱିତୀୟ, ବାଳକ ମ୍ୟୁଜିକ୍ ଚେୟାରରେ ପଂଚମ ଶ୍ରେଣୀର ଅଶୋକ ବେହେରା ତୃତୀୟ ସ୍ଥାନ ଓ ଚତୁର୍ଥ ଶ୍ରେଣୀର ସୌରେନ୍ଦ୍ର ନାଏକ ଦ୍ୱିତୀୟ ସ୍ଥାନ, କନିଷ୍ଠ ବର୍ଗ ଅଖା ଦୌଡରେ ତୃତୀୟ ଶ୍ରେଣୀର ଆୟୁଷ ଜେନା ତୃତୀୟ, ଚତୁର୍ଥ ଶ୍ରେଣୀର ସରୋଜ ବେହେରା ଅଖା ଦୌଡରେ ତୃତୀୟ ଓ ଦ୍ୱିତୀୟ ଶ୍ରେଣୀର ସ୍ୱର୍ଣ୍ମପ୍ରଭା ଦାସ ବାଟି ଚାମଚ୍ କନିଷ୍ଠରେ ତୃତୀୟ ସ୍ଥାନ ହାସଲ କରିଥିଲେ ।

Comments (0)
Add Comment