ପୋଲ ତଳକୁ ଖସି ପଡିଲା ବସ, ଦୁଇ ମହିଳା ମୃତ,30 ଆହତ

ଢେଙ୍କାନାଳ: ସଦର ଥାନା ସିମିନଇ ନିକଟ ପାଞ୍ଚପଟି କେନାଲ ବ୍ରିଜ ତଳ କୁ ଏକ ଟୁରିଷ୍ଟ ବସ ଖସିପଡିବାରୁ  ଘଟଣାସ୍ଥଳ ରେ ଦୁଇ ମହିଳା ଙ୍କ ମୃତ୍ୟୁ ହୋଇଛି | ବସ ରେ ଥିବା 30 ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ହୋଇଛନ୍ତି | ସେମାନଙ୍କ ମଧ୍ୟରୁ20 ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ କଟକ ବଡ଼ ଡାକ୍ତରଖାନା କୁ ସ୍ତାନାନ୍ତର କରାଯାଇଛି | ମୃତକ ହେଉଛନ୍ତି କେନ୍ଦ୍ରାପଡା ର ରେଣୁବାଳା ଜେନା ଓ ବିଜୟଲକ୍ଷ୍ମୀ ସ୍ୱାଇଁ ବୋଲି ଜଣାପଡିଛି |ଜାତୀୟ ରାଜପଥ ପ୍ରାଧିକରଣର ଦାୟିତ୍ବହିନତା ଓ ଡ୍ରାଇଭରର ସାମାନ୍ୟ ଅସାବଧାନତା ପାଇଁ ଏହି ବଡ ଦୁର୍ଘଟଣା ହେଲାବୋଲି ଅଭିଯୋଗ ହୋଇଛି |

 ରବିବାର ରାତି ପ୍ରାୟ ସାଢେ ତିନିଟା ବେଳକୁ ବଲାଙ୍ଗୀର ଓ ସମ୍ବଲପୁରରୁ ପିକନିକ ସାରି କେନ୍ଦ୍ରାପଡା ଫେରୁଥିଲା ଟୁରିଷ୍ଟ ବସ | ଢେଙ୍କାନାଳ ସଦରଥାନା ସିମିନଇ ପଞ୍ଚୁପଟି ନିକଟରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଲା ଟୁରିଷ୍ଟ ବସ।କେହି କିଛି ବୁଝିବା ଆଗରୁ ଏତେ ବଡ ଦୁର୍ଘଟଣା ସମସ୍ତଙ୍କୁ ହତଚକିତ କରି ଦେଇଥିଲା।କାହାର ମୁଣ୍ଡ ଫାଟି ଯାଇଥିଲା ତ ଆଉ କାହାର ହାତ ଗୋଡ ଭାଙ୍ଗି ଯାଇଥିଲା।

ବସରେ ଥିବା ମୋଟ ୪୩ ଜଣ ଯାତ୍ରୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ୨ଜଣ ଙ୍କର ମୃତ୍ୟୁ ହୋଇ ଯାଇଥିଲା।ବାକି ୩୦ ରୁ ଅଧିକ ବସ ଯାତ୍ରୀ ଗୁରୁତର ହୋଇଥିଲେ।ବସ ଦୁର୍ଘଟଣା ପରେ ସ୍ଥାନୀୟ ସିମିନଇ ପଞ୍ଚୁପଟି ବାସିନ୍ଦା ଢେଙ୍କାନାଳ ଅଗ୍ନିଶମ ବିଭାଗ ଓ ସଦରଥାନା ପୋଲିସ ବସ ପଛପଟ କାଚ ଭାଙ୍ଗି ଲୋକଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସମସ୍ତ ଗୁରୁତରଙ୍କୁ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ପ୍ରାୟ ୨୦ଜଣ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

ଗତ ଶୁକ୍ରବାର ଦିନ କେନ୍ଦ୍ରାପଡା ଇଛାପୁରରୁ ନିଳମାଧବ ନାମକ ଏହି ବସରେ ସମସ୍ତେ ବଲାଙ୍ଗୀର ସମ୍ବଲପୁର ଅଭିମୁଖେ ଯାତ୍ରା କରିଥିଲେ।ବୁଲାବୁଲି କରି ଫେରିବା ସମୟରେ ଆଜି ରାତି ପ୍ରାୟ ୩ଟା ୩୦ ମିନିଟ ସମୟରେ ଢେଙ୍କାନାଳ ପଞ୍ଚୁପଟି ନିକଟରେ ଏହି ଦୁର୍ଘଟଣା ଘଟିଥିଲା।ଏଥିପାଇଁ ୫୫ ନମ୍ବର ଜାତୀୟ ରାଜପଥ ଅସମ୍ପୂର୍ଣ୍ଣ କାର୍ଯ୍ୟ ଓ ଆବଶ୍ୟକ ସ୍ଥାନ ମାନଙ୍କରେ କୌଣସି ରେଡିଅମ ସିମ୍ବଲ ନଲାଗିଥିବାରୁ ଏହି  ଦୁର୍ଘଟଣା ଘଟିଥିବା କହିଛନ୍ତି ପ୍ରତ୍ୟକ୍ଷ ଦର୍ଶୀ।ଯେଉଁଥି ପାଇଁ ଜାତୀୟ ରାଜପଥ ଉପରେ ଘଣ୍ଟା ଘଣ୍ଟା ଧରି ରାସ୍ତାରୋକ ହୋଇଥିଲା ।

ପରେ ଢେଙ୍କାନାଳ ସଦର ଏସଡିପିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।ପରେ ନିଜେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ।

ତନ୍ନ ତନ୍ନ କରି ସେଠାରେ ଦୁର୍ଘଟଣାର କାରଣ ଖୋଜିବା ପରେ ଜିଲ୍ଲାପାଳ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ କାର୍ଯ୍ୟରେ ଦାୟିତ୍ୱ ହିନତାକୁ ଦାୟୀ କରିଥିଲେ।ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ରେଣୁବାଳା ଜେନା ଓ ବିଜୟଲକ୍ଷ୍ମୀ ସ୍ୱାଇଁଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ଓ ଜିଲ୍ଲା ରେଡକ୍ରସ ଫଣ୍ଡରୁ ସହାୟତା ପାଇଁ ଘୋଷଣା କରିଥିଲେ। ଏପଟେ NHAI କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ ତୁରନ୍ତ ଜାତୀୟ ରାଜପଥ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା। 

Comments (0)
Add Comment