ଅଣନିଶ୍ୱାସୀ ହୋଇ ୬ ଛାତ୍ରୀ ଅସୁସ୍ଥ

ଗଁଦିଆ : ଗଁଦିଆ ବିଜ୍ଞାପିତ ଅଞ୍ଚଳ ପରିଷଦସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶ୍ରେଣୀଗୃହରେ ଅତ୍ୟଧିକ ଛାତ୍ରଛାତ୍ରୀ ବସିବା ଯୋଗୁଁ ଅଣନିଶ୍ୱାସୀ ହୋଇ ୬ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ତୁରନ୍ତ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯିବା ପରେ ଅପରାହ୍ନରେ ଘରକୁ ପଠାଯାଇଛି।

୧୯୬୨ରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୪୨୦ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ବିଦ୍ୟାଳୟରେ ୧୪ଟି ଗୃହ ଥିବାବେଳେ ମାତ୍ର ୫ଟି ଗୃହରେ ଶିକ୍ଷାଦାନ ହେଉଛି। ଶ୍ରେଣୀଗୃହଗୁଡ଼ିକ ଛୋଟ ହୋଇଥିବାରୁ ୪୦ରୁ ୫୦ ଜଣ ଛାତ୍ରଛାତ୍ରୀ ବସିବା ସମ୍ଭବ। ତେବେ ଚଳିତ ବର୍ଷ ଅଷ୍ଟମ ଶ୍ରେଣୀରେ ୮୮ ଜଣ ନାମ ଲେଖାଇଥିବାବେଳେ ଶୁକ୍ରବାର ୭୨ ଜଣ ଉପସ୍ଥିତ ଥିଲେ। ଅତ୍ୟଧିକ ଭିଡ଼ ଓ ଉପଯୁକ୍ତ ବାୟୁ ଚଳାଚଳ ନ ହେବାରୁ କିଛି ଛାତ୍ରୀ ଅଣନିଶ୍ୱାସୀ ହୋଇପଡ଼ିଥିବା ଜଣାପଡ଼ିଛି।

ଚଳିତ ଶିକ୍ଷାବର୍ଷରେ ଏଭଳି ଘଟଣା ପୂର୍ବରୁ ମଧ୍ୟ ଦୁଇଥର ଘଟିଥିବା ଅଭିଭାବକଙ୍କ ପକ୍ଷରୁ କୁହାଯାଇଛି। ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁପାତରେ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ଏଯାଏଁ ପଦକ୍ଷେପ ନିଆଯାଇନଥିବା ପ୍ରଧାନଶିକ୍ଷକ ପ୍ରକାଶ କରିଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇ ଅତିରିକ୍ତ ତହସିଲଦାର ବିଦ୍ୟାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଛାତ୍ରଛାତ୍ରୀଙ୍କ ସଂଖ୍ୟା ତୁଳନାରେ ଶ୍ରେଣୀଗୃହର ଅଭାବ ଥିବା ସେ ସ୍ୱୀକାର କରିଛନ୍ତି। ତୁରନ୍ତ ନୂତନ ଶ୍ରେଣୀଗୃହ ନିର୍ମାଣ ସହ ବିଦ୍ୟାଳୟର ଭିତ୍ତିଭୂମି ସୁଧାରିବାକୁ ଅଭିଭାବକମାନେ ଦାବି କରିଛନ୍ତି।

Comments (0)
Add Comment