ରାଷ୍ଟ୍ରୀୟ ରୋଜଗାର ନୀତି ଆଇନ୍ ପ୍ରଣୟନ ପାଇଁ ଅଗଷ୍ଟ ୧୬ରେ ଦିଲ୍ଲୀର ଜନ୍ତରମନ୍ତର ଠାରେ ସଂଯୁକ୍ତ ରୋଜଗାର ଆନେ୍ଦାଳନ ସମିତି ପକ୍ଷରୁ ଡାକରା

ଢେଙ୍କାନାଳ: ଢେଙ୍କାନାଳର ଐତିହାସିକ ଗାନ୍ଧି ମନ୍ଦିର ଠାରେ ସଂଯୁକ୍ତ ରୋଜଗାର ଆନେ୍ଦାଳନ ସମିତି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହାର ରାଜ୍ୟ ଆବାହକ ସରୋଜ କୁମାର ଶତପଥୀ ଏବଂ ଯୁଗ୍ମ ଆବାହକ ସୀତାଂଶୁ ସାହୁ, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଉଫୁନାର ରାଜ୍ୟ ଅଧ୍ୟକ୍ଷ ମନୋରଞ୍ଜନ ପଟ୍ଟନାୟକ, ସମାଜସେବୀ ରୁଦ୍ରପ୍ରକାଶ ଶରଣ ପ୍ରମୁଖ ଉକ୍ତ ସମ୍ମିଳନୀରେ ଯୋଗଦେଇ କହିଥିଲେ ଯେ, ବେରୋଜଗାରୀ ବିରୋଧରେ ରାଷ୍ଟ୍ରୀୟ ରୋଜଗାର ନୀତି ପ୍ରଣୟନ କରିବା ପାଇଁ ଜାତୀୟ କମିଟି ଦ୍ୱାରା ଦିଲ୍ଲୀର ଜନ୍ତରମନ୍ତର ଠାରେ ଅଗଷ୍ଟ ୧୬ ତାରିଖ ପୂର୍ବାହ୍ନ ୧୦ଘଟିକା ସମୟରେ ଏକ ବିଶାଳ ଧାରଣା ଦିଆଯିବ ।

ଏହି କାର୍ଯ୍ୟକ୍ରମରେ ସାରା ରାଜ୍ୟରୁ ଛାତ୍ର, ଯୁବକ, ମହିଳା, ଶ୍ରମିକ, କୃଷକ, ଶିଳ୍ପୀ, କଳାକାର, ଟ୍ରେଡ୍ ୟୁନିୟନ୍, ବୁଦ୍ଧିଜୀବୀ, ଓକିଲ ସଂଘ, ଏନ୍ଜିଓ ଆଦି ଶତାଧିକ ସଂଗଠନ ଭାଗନେବେ । ଉକ୍ତ ସମ୍ମିଳନୀରେ କୁହାଯାଇଅଛି କି, ଦେଶ ବେକାରୀ ସମସ୍ୟାକୁ ନେଇ ଭୟଙ୍କର ଦେଇ ସଂକଟ ଦେଇ ଗତି କରୁଛି ।

ନୂତନ ନିଯୁକ୍ତି ସୃଷ୍ଟି କରିବା ତ ଦୂରର କଥା, ଖାଲିପଡିଥିବା ଲକ୍ଷ ଲକ୍ଷ ସରକାରୀ ପଦବୀକୁ ପୂରଣ କରାଯାଉନାହିଁ । ଅନ୍ୟପଟେ ଚାକିରୀ ପାଇଁ ଦାବୀ କରୁଥିବା ଯୁବକମାନଙ୍କୁ ମିଳୁଛି ଲାଠିର ପ୍ରହାର । ବଡବଡ ଡିଗ୍ରୀ ହାତରେ ଧରି ଚାକିରୀ ପାଇଁ ଯୁବକମାନେ ଏଠିସେଠି ବୁଲୁଛନ୍ତି । ଯାହାବି ନିଯୁକ୍ତି ମିଳୁଛି ତାହା ମଧ୍ୟ ସ୍ଥାୟୀ ନୁହେଁ । ଛଟେଇର ଭୟ ସବୁବେଳେ ଲାଗି ରହୁଛି । ଗାଁ ଠାରୁ ସହର ସବୁଠି ଯୁବକ, ମହିଳା, କୃଷକ, ଶିଳ୍ପୀ, କଳାକାର ସମସ୍ତେ ଆଜି ଏହାର ଶୀକାର । ସ୍ୱାଧୀନତାର ୭୫ବର୍ଷ ବିତିଯାଇଥିଲେ ମଧ୍ୟ ରାଷ୍ଟ୍ରୀୟ ରୋଜଗାର ନୀତି ନାହିଁ ।

ରାଷ୍ଟ୍ରୀୟ ରୋଜଗାର ନୀତି ହିଁ ବେରୋଜଗାରୀ ସମସ୍ୟାର ସମାଧାନ ହୋଇପାରିବ । ରୋଜଗାର ମାନବଜାତିର କେବଳ ଅର୍ଥନୈତିକ ପ୍ରସଙ୍ଗ ନୁହେଁ, ବରଂ ଏହା ରାଷ୍ଟ୍ର ନିର୍ମାଣରେ ସମସ୍ତଙ୍କର ଅଂଶୀଦାରର ବିଷୟ ଅଟେ । ସମସ୍ତଙ୍କ ଭାଗିଦାରୀରେ ହିଁ ରାଷ୍ଟ୍ରର ଉଚିତ୍ ନିର୍ମାଣ ହୋଇପାରିବ । ଏଥିପାଇଁ ସମସ୍ତଙ୍କ ହାତକୁ କାମ ଏବଂ କାମର ଉଚିତ୍ ପାରିଶ୍ରମିକ ମିଳିବା ଦରକାର । ଆମ ଦେଶରେ ମାନବ ସମ୍ବଳ, ବୌଦ୍ଧିକ ସମ୍ବଳ, ପ୍ରାକୃତିକ ସମ୍ବଳ ଆଦି ସବୁକିଛି ମହଜୁଦ୍ ଅଛି ।

ଏହାକୁ ଯଦି ସଠିକ୍ ଭାବରେ ବିନିଯୋଗ କରାଯିବ ତେବେ ବେରୋଜଗାରୀ ସମସ୍ୟା ଦୂର ହେବା ସହ ଦେଶର ଅର୍ଥନୀତି ସୁଦୃଢ ହେବ । ସଂଯୁକ୍ତ ରୋଜଗାର ଆନ୍ଦଳୋନ ପକ୍ଷରୁ କୁହାଯାଇଛି କି, ରାଷ୍ଟ୍ରୀୟ ରୋଜଗାର ନୀତି ଆନେ୍ଦାଳନର ୨୫ଗୋଟି ରାଜ୍ୟରେ ଏହି ରୋଜଗାର ସଂସଦ ଆୟୋଜିତ ହୋଇଯାଇଅଛି ।

ଏଣୁ ଆଗାମୀ ଅଗଷ୍ଟ ୧୬ ତାରିଖରେ ଦେଶରେ ରାଷ୍ଟ୍ରୀୟ ରୋଜଗାର ନୀତି ପ୍ରଣୟନ ପାଇଁ ଦିଲ୍ଲୀର ଜନ୍ତରମନ୍ତର ଠାରେ ସତ୍ୟାଗ୍ରହ କରାଯିବ । ଯଦି ସରକାର ଧ୍ୟାନ ନଦିଅନ୍ତି ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏ ଆନେ୍ଦାଳନ ଚାଲୁ ରହିବ । ଏଣୁ ଅଧିକରୁ ଅଧିକ ସଂଖ୍ୟାରେ ଏ ରୋଜଗାର ସଂସଦରେ ସାମିଲ୍ ହୋଇ ରାଷ୍ଟ୍ରୀୟ ରୋଜଗାର ନୀତି ଆନେ୍ଦାଳନକୁ ସଫଳ କରିବା ପାଇଁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଅଛି ।

Comments (0)
Add Comment