ସହିଦ ସୂର୍ଯ୍ୟମଣିଙ୍କ ୨୨ତମ ବଳିଦାନ ଦିବସ ପାଳିତ

ଦେଶ ପାଇଁ ପ୍ରାଣବଳି ଦେଇଥିବା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି, ଛାତ୍ରୀଙ୍କୁ ସାହସିକତା ସମ୍ମାନ

ଢେଙ୍କାନାଳ, ଅଗଷ୍ଟ ୧୪: ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଚାଉଳିଆ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଅମର ସହିଦ ସୂର୍ଯ୍ୟମଣି ବେହେରାଙ୍କ ୨୨ତମ ବଳିଦାନ ଦିବସ ପାଳିତ ହୋଇଯାଇଛି। ସହିଦ ସୂର୍ଯ୍ୟମଣି ବେହେରା ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ବିଦ୍ୟାଳୟର ପ୍ରଧାନଶିକ୍ଷକ ଭୁବନାନନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।

ସଭାରେ ସାମ୍ବାଦିକ ଶିଶିର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହିଦ ସୂର୍ଯ୍ୟମଣି ବେହେରାଙ୍କ ଦେଶପ୍ରେମ, ସାହସ ଓ ବଳିଦାନକୁ ସ୍ମରଣ କରିଥିଲେ। ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ସରପଞ୍ଚ ବିମ୍ବାଧର ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ବନଜ ବିହାରୀ ହୋତା ଓ ସହିଦଙ୍କ ଭାଇ ସୁଧାକର ବେହେରା ଅତିଥି ଭାବେ ଉପସ୍ଥିତ ଥିଲେ।

ସହିଦ ସୂର୍ଯ୍ୟମଣି ବେହେରା ଭାରତୀୟ ସେନାରେ ଯୋଗଦେଇ ଲାନ୍ସ ନାଏବ ସୁବେଦାର ପଦବୀକୁ ପଦୋନ୍ନତି ପାଇଥିଲେ। ୨୦୦୫ ଅଗଷ୍ଟ ୧୩ ତାରିଖରେ ଜମ୍ମୁ-କାଶ୍ମୀରର ବାରମୁଳା ସେକ୍ଟରରେ କାର୍ଯ୍ୟରତ ଥିବା ସମୟରେ ଉଗ୍ରପନ୍ଥୀଙ୍କ ଗୁଳିରେ ସେ ବୀରଗତି ପ୍ରାପ୍ତ କରିଥିଲେ। ତାଙ୍କର ବଳିଦାନ ଓ ଦେଶପ୍ରେମ ଆଜି ମଧ୍ୟ ଯୁବପିଢ଼ି ପାଇଁ ପ୍ରେରଣା ହୋଇ ରହିଛି।

ଏହି ଅବସରରେ ଚାଉଳିଆ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଶୁଭସ୍ମିତା ପ୍ରଧାନଙ୍କୁ ତାଙ୍କ ସାହସିକତା ପାଇଁ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରଜ୍ଞାସ୍ମିତା ରାଉତ, ସ୍ମୃତି ସଂହାସିନୀ ସାହୁ, ରାନୀ ପ୍ରଧାନ, ଅର୍ପିତା ଷେଣ୍ଢ ଓ ସୃତିରାଜ ପ୍ରଧାନ ପ୍ରମୁଖ ସହିଦ ସୂର୍ଯ୍ୟମଣିଙ୍କ ଜୀବନ ଓ ବଳିଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ଶିକ୍ଷୟିତ୍ରୀ ନନ୍ଦିନୀ ବରିଆଙ୍କ ସମେତ କର୍ମଚାରୀ ଇସମାଇଲ ମହମ୍ମଦମଙ୍ଗୁଳି ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments (0)
Add Comment