ମା’ ରାମଚଣ୍ଡୀଙ୍କ ପୀଠରେ ହାଣ୍ଡିଭଙ୍ଗା ଯାତ

ବୈଶାଖ ମାସ ଶେଷ ଗୁରୁବାର

ଅର୍କକ୍ଷେତ୍ରର ରକ୍ଷାକର୍ତ୍ତୀ ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ମା’ ରାମଚଣ୍ଡୀ ହେଉଛନ୍ତି ଶ୍ରେଷ୍ଠ ତଥା ଅଧିଷ୍ଠାତ୍ରୀ ଦେବୀ । ମା’ ରାମଚଣ୍ଡୀଙ୍କ ଅବସ୍ଥିତି ଓ ମାହାତ୍ମ୍ୟ ସଂପର୍କରେ ମାଦଳା ପାଞ୍ଜି, ସରାରଳା ମହାଭାରତ, ପ୍ରାଚୀ ମାହାତ୍ମ୍ୟ, ପୁରୁତ୍ତେମ ମାହାତ୍ମ୍ୟ, ତଥା ବିଭିନ୍ନ ଐତିହାସିକ ବିବରଣୀରୁ ସୂଚନା ମିଳେ । ଏତଦବ୍ୟତିତ ଲୋକମୂଖରେ ମା’ଙ୍କ ସଂପର୍କରେ ଅନେକ କିମ୍ବଦନ୍ତୀ ମଧ୍ୟ ଶୁରିବାକୁ ମିଳେ । ମା’ଙ୍କ ପୀଠରେ ବର୍ଷତମାମ ପାଳନ କରାଯାଉଥିବା ବିଭିନ୍ନ ପର୍ବପର୍ବାଣୀଗୁଡ଼ିକ ମଧ୍ୟରେ ଶ୍ରେଷ୍ଠ ଓ ନିଆରା ପର୍ବ ହେଉଛି ହାଣ୍ଡିଭଙ୍ଗା ଯାତ ବୈଶାଖ ମାସ ଶୁକ୍ଲ ପକ୍ଷ ଶେଷ ଗୁରୁବାର ଦିନ ଏହି ପର୍ବ ପାଳନ କରାଯାଇଥାଏ । ଏହା ଓଡ଼ିଆଣୀ କୂଳବଧୁମାନଙ୍କର ଏକ ନିଆରା ପର୍ବ । କାହିଁ କେଉଁ କାଳରୁ ପୁରୁଷାନୁକ୍ରମେ ଖାଲକଟାପାଟଣା ଓ ଟିକନା ଗ୍ରାମର କୁଳବଧୂମାନେ ନିଜ ପରିବାରର ଶୁଭ ମନାସି ମା’ ରାମଚଣ୍ଡୀଙ୍କ ନିକଟରେ ହାଣ୍ଡିଭଙ୍ଗାଯାତକୁ ମହାଆଡ଼ମ୍ବରରେ ପାଳନ କରିଥାନ୍ତି । ଘଞ୍ଚ ଜଙ୍ଗଲ ଓ ସମୁଦ୍ରକୂଳରେ ଏହି ଦୁଇଟି ଗ୍ରାମର ଅବସ୍ଥିତି ଥିବାରୁ ଜଙ୍ଗଲି ଜୀବଜନ୍ତୁଙ୍କ ଆକ୍ରମଣ ଓ ସମୁଦ୍ରମାଡ଼ି ନ ଆସିବା ପାଇଁ ଗ୍ରାମର କୂଳବଧୂମାନେ ମା’ ରାମଚଣ୍ଡୀଙ୍କ ନିକଟରେ ହାଣ୍ଡିଭଙ୍ଗାଯାତକୁ ପୁରୁଷାନୁକ୍ରମେ ପାଳନ କରି ଆଶୁଛନ୍ତି । ବୈଶାଖ ମାସ ଶୁକ୍ଳ ପକ୍ଷ ଶେଷ ଗୁରୁବାର ଦିନ ମା’ଙ୍କ ପୀଠରେ ଏହି ନିଆରା ପର୍ବ ହାଣ୍ଡିଭଙ୍ଗା ଯାତ ଧୁମଧାମରେ ପାଲିତ ହୋଇଥାଏ । ମା’ଙ୍କ ପୀଠ ସଂଲଗ୍ନ ଟିକନା ଓ ଖାଲକଟାପାଟଣା ଗ୍ରାମର କୁଳବଧୂମାନେ ଏହି ପବିତ୍ର ଦିନରେ ଉପବାସ ବ୍ରତ ପାଳନ କରି ଏକତ୍ର ହୁଳହୁଳି ପକାଇ ଗ୍ରାମରୁ ବାହାରି ଥାନ୍ତି । ମା’ ରାମଚଣ୍ଡୀଙ୍କ ନିମନ୍ତେ କୂଳବଧୂମାନେ ଗାଧୁଆ ସଜ ଧରି ପବିତ୍ର ପୀଠରେ ପହଞ୍ଚିବା ପରେ ମା’ଙ୍କ ପୂଜକ ଗାଧୁଆ ନିତୀ ସମ୍ପନ୍ନ କରିଥାନ୍ତି । ପ୍ରତ୍ୟକ ମହିଳା ପରିଧାନ କରିଥିବା ନୂଆ ଲୁଗା କାନିରେ ବାନ୍ଧି ଆଣିଥାନ୍ତି ହାଣ୍ଡିରନ୍ଧା ସାମଗ୍ରୀ । ମା’ଙ୍କ ମନ୍ଦିର ବେଢ଼ାର ପଶ୍ଚିମ ପାଶ୍ୱର୍ରେ ଥିବା ହାଣ୍ଡିରନ୍ଧା ଚୁଲାରେ ସମୁହ ହାଣ୍ଡିରନ୍ଧା କାର୍ଯ୍ୟ ଆରମ୍ଭ ହୋଇଥାଏ ।

ମନ୍ଦିରର ପୂଜକ ଓ ମାଳି ମା’ଙ୍କ ରୋଷ ଘରଚୂଲାରୁ ଅଗ୍ନୀ ଆଣୀ ପ୍ରତ୍ୟକ ମହିଳାଙ୍କ ଚୁଲିରେ ଅଗ୍ନୀ ସଂଯୋଗ କରିବା ସହିତ ଖୀରିକୋଲି ଡାଙ୍ଗରେ ପ୍ରସ୍ତୁତ ଚଟୁ ଯୋଗାଇ ଦେବାପରେ ମହିଳାମାନେ ହାଣ୍ଡିରନ୍ଧା କାର୍ଯ୍ୟ ଆରମ୍ଭ କରିଥାନ୍ତି । ମାହିଳାମାନେ ଘରୁ ଆଣିଥିବା ଅରୁଆଚାଉଳ, ମୁଗ, ଚିନି, ଘିଅ ଓ ପରିବାକୁ ମିଶାଇ ନୂଆ ମାଟିହାଣ୍ଡିରେ ଖେଚୁଡ଼ି ପ୍ରସ୍ତୁତ କରିଥାନ୍ତି । ଏହି ସମୟରେ ମା’ଙ୍କ ରୋଷଇଘରେ ପୂଜକ ମଧ୍ୟ ନୂଆ ମାଟିହାଣ୍ଡିରେ ଅନୁରୂପଭାବେ ଖେଚୁଡ଼ି ପ୍ରସ୍ତୁତ କରିବାପରେ ମା’ଙ୍କ ନିକଟରେ ଭୋଗଲଗାଇ ଥାନ୍ତି ।

ଏହାପରେ ହାଣ୍ଡିରନ୍ଧା ଖେଚୁଡ଼ିକୁ ପୂଜକ ଓ ମହିଳାମାନେ କଦଳୀ ପତ୍ରରେ ବାଢିଥାନ୍ତି । ଖେଚୁଡ଼ିର ସିଂହଭାଗ ଅଂଶକୁ ଦୁଇଟି ବାଟୁଳା କରି ବାଘ ଓ ବାଘୁଣିଙ୍କ ନିମନ୍ତେ ହାଣ୍ଡିରେ ରଖିବା ପରେ ଅବଶିଷ୍ଟ ଖେଚୁଡ଼ିକୁ ସେବନ କରି ବଳକା ଖେଚୁଡ଼ି ହାଣ୍ଡିକୁ ଧରି ପୂଜକ ହାଣ୍ଡିଭଙ୍ଗା ବନ୍ତ ଅଭିମୂଖେ ଆଗେ ଆଗେ ଯିବା ବେଳେ ମହିଳାମାନେ ନିଜ ନିଜ ହାଣ୍ଡିକୁ ଧରୀ ନିରବତା ଅବଲମ୍ବନ କରି ତାଙ୍କୁ ଅନୂସରଣ କରିଥାନ୍ତି । ମା’ଙ୍କ ମନ୍ଦିରର ପଶ୍ଚିମ-ଉତ୍ତର କୋଣର ୨୦୦ମିଟର ଦୂରରେ ଥିବା ହାଣ୍ଡିଭଙ୍ଗା ବନ୍ତରେ ପହଞ୍ଚି ଏହି ବନ୍ତକୁ ସାତଥର ପ୍ରଦିକ୍ଷଣ କରିବା ପରେ ବନ୍ତ ଚୂଡ଼ାରେ ଥିବା ଶିଳା ଉପରେ ହାଣ୍ଡିକୁ କଚାଡ଼ି ଭାଙ୍ଗିଥାନ୍ତି ।

ଏହାପରେ ମହିଳାମାନେ ଏକ ମୁହାଁ ହୋଇ ୩୦୦ ମିଟର ଦୂରରେ ଥିବା ହାତଧୁଆ ଝରଣାରେ ହାତ ଧୋଇ ଗ୍ରାମଦେବତୀ ଖାଲକୋଠୀଙ୍କୁ ମୁଣ୍ଡିଆମାରୀ ଘରକୁ ଫେରିଥାନ୍ତି । ଯେଉଁ ମହିଳାଙ୍କ ହାଣ୍ଡିର ମୁଣ୍ଡୁଳି ଭାଙ୍ଗିନଥାଏ ସଂପୃକ୍ତ ମହିଳା ନିଜ ପରିବାରରେ କୌଣସି ଅମଙ୍ଗଲ ନ ହେବା ପାଇଁ ରିଷ୍ଟ ଖଣ୍ଡନ ଉଦେ୍ଧଶ୍ୟରେ ଶୁକ୍ରବାର ପ୍ରତୁ୍ୟଶରେ ମା’ଙ୍କ ପାଖରେ ଗୁହାରିଆ ପଡ଼ିବାର ବିଧିରହିଛି ।

ଏହି ଅବସରରେ ବିଶ୍ୱ ଶାନ୍ତି ନିମନ୍ତେ ମା’ଙ୍କ ନିକଟରେ ହାଣ୍ଡିଭଙ୍ଗା ଯାତର ଦୁଇଦିନ ପୂର୍ବରୁ ତି୍ରଦିବସୀୟ ଚଣ୍ଡୀମହାଯଜ୍ଞ ଆୟୋଜିତ ହୋଇଥାଏ । ହାଣ୍ଡିଭଙ୍ଗା ଯାତ ଦିନ ପ୍ରତୁ୍ୟଶରେ ମା’ ରାମଚଣ୍ଡୀଙ୍କୁ ମହାଲକ୍ଷ୍ମୀ ବେଶରେ ସଜାଯାଇ ପୂଜାର୍ଚ୍ଚନା କରାଯାଇଥାଏ । ସକାଳ ମଙ୍ଗଳ ଆଳତି ଓ ରାତିରେ ବଡ଼ସିଂହାର ଧୂପ ଆଳତିକୁ ମିଶାଇ ମାଆଙ୍କ ନିକଟରେ ମୋଟ ୫ ଥର ଆଳତି କରାଯାଇଥାଏ । ମା’ରାମଚଣ୍ଡୀଙ୍କର ମହାଲକ୍ଷ୍ମୀ ବେଶ ଓ ହାଣ୍ଡିଭଙ୍ଗା ଯାତକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦିନତମାମ ଲାଗିରହିଥାଏ । ଏହି ଅବସରରେ ଆୟୋଜକଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଭା ଅନୁଷ୍ଠିତ ହୋଇଥାଏ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ବିଭାଗ ସହାୟତାରେ ମା’ ରାମଚଣ୍ଡୀ ଉନ୍ନୟନ କମିଟି, ମା’ ରାମଚଣ୍ଡୀ ବଜାର କମିଟିର ସମସ୍ତ ସଦସ୍ୟ ପରିଚାଳନା କରିଥାନ୍ତି ।

ଏଠାରେ ଉସୂଚନା ଥାଉକି ୨୦୧୯ ମସିହାରେ ସାମଦ୍ରିକଝଡ ଫନି ଓ ୨୦୨୦ ଏବଂ ୨୦୨୧ ମସିହାରେ ମହାମାରୀ କରୋନା ପାଇଁ ମା’ଙ୍କ ପୀଠରେ ଜାକଜମକରେ ପାଳନ ହୋଇପାରି ନଥିଲା ହଣ୍ଡିଭଙ୍ଗା ଯାତ । କେବଳ ପରମ୍ପରା ରକ୍ଷା କରାଯାଇଥିଲା । ଚଳିତ ବର୍ଷ ୧୦ତାରିଖରୁ ଆରମ୍ଭ ହୋଇଥିବା ତି୍ରଦିବସୀୟ ବିଶ୍ୱ ଶାନ୍ତି ମହାଯଜ୍ଞ ବୈଶାଖମାସ ଶେଷ ଗୁରୁବାର ୧୨ତାରିଖରେ ଉଦଯାପିତ ହେବ । ଏହି ଅବସରରେ ୧୦ତାରିଖରୁ ୧୨ତାରିଖ ପର୍ଯ୍ୟନ୍ତ ପ୍ରତେହ୍ୟ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।

୧୦ତାରିଖ ଚଣ୍ଡୀ ମହାଯଜ୍ଞ ଓ ସନ୍ଧ୍ୟା ୬ଟାରେ ଖାଲକଟାପାଟଣା ଗ୍ରାମର ମା’ ଜାଗେଶ୍ୱରୀ ମହିଳା ସଂକୀର୍ତ୍ତନ ମଣ୍ଡଳି ପକ୍ଷରୁ ସଂକୀର୍ତ୍ତନ ପରିବେଷଣ କରାଯିବ । ୧୧.ତାରିଖ ସନ୍ଧ୍ୟା ୬ଟାରେ କଟକ ବାଦାମବାଡିର ମା’ ସାରଳା ଭଜନ ସନ୍ଧ୍ୟା ପକ୍ଷରୁ ଭଜନ ପରିବେଷଣ ଏବଂ ରାତ୍ର ୧୦ଟାରେ ନୟାଗଡ ବୁଢିଆଳିର ରଘୁନାଥ ଜିୟୁ ରାମନାଚ ସଂସଦ ପକ୍ଷରୁ ଲବକୁଶ ଜନ୍ମ ପରିବେଷଣ କରାଯିବ ।

୧୨.ତାରିଖ ଗୁରୁବାର ମା’ ରାମଚଣ୍ଡୀଙ୍କ ମହାଲକ୍ଷ୍ମୀ ବେଶ ଓ ହାଣ୍ଡି ଭଙ୍ଗା ଯାତ, ଚଣ୍ଡୀ ମହାଯଜ୍ଞର ପୂର୍ଣ୍ଣାହୁତି, ସନ୍ଧ୍ୟା ୬ଘଟିକା ମା’ ଖଣ୍ଡୁଆଳି ମହିଳା ସଂକୀର୍ତ୍ତନ ମଣ୍ଡଳି ପକ୍ଷରୁ ସଂକୀର୍ତ୍ତନ ପରିବେଷଣ, ସନ୍ଧ୍ୟା ୭ଟାରେ ଓଡିଶୀ ସଂକୀର୍ତ୍ତନ ପରିବେଷଣ, ରାତ୍ର ୮ଟାରେ ସାଧାରଣ ସଭା ଓ ରାତ୍ର ୯ଟାରେ ନୟାଗଡ ପୁଆଣିଆର ମା’ ବ୍ରହ୍ମଣ ଦେବୀ ରାମନାଚ ସଂସଦ ପକ୍ଷରୁ ଲକ୍ଷ୍ମଣ ଶକ୍ତି ଭେଦ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

ସୁବାସ ପ୍ରଧାନ, କାର୍ତ୍ତିକ ଚନ୍ଦ୍ର ବେହେରା, ଲୋକନାଥ ନାୟକ, ନରେନ୍ଦ୍ର ପରିଡା, ଚନ୍ଦ୍ରନ ବେହେରା, ଅନିଲ ନାୟକ, ସଦଶିବ ନାୟକ, ରବିନ୍ଦ୍ର ଦାସ, ସନାତନ ବେହେରା, ପ୍ରକାଶ ବେହେରା, ରାମଚନ୍ଦ୍ର ନାୟକ, ସନାତନ ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।

ଅଜିତ କୁମାର ମଲ୍ଲିକ
କୋଣାର୍କ, ୭୯୭୮୦୧୧୫୩୮

Comments (0)
Add Comment