ଦିଲ୍ଲୀରେ ମନ ମୋହିଲା କୋଣାର୍କ ନାଟ୍ୟ ମଣ୍ଡପର ଗୋଟିପୁଅ ନୃତ୍ୟ

କୋଣାର୍କ : ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଆନୁକୁଲ୍ୟରେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଦ୍ବାରା ଆୟୋଜିତ “ଆଜାଦି କା ଅମୃତ ମହୋତ୍ସବ” ରବିବାର ସଂଧ୍ୟାରେ ଦିଲ୍ଲୀର ପୁରାନା କିଲ୍ଲା ଠାରେ ମହା ସମାରୋହରେ ଆୟୋଜିତ ହୋଇଯାଇଛି। ଏହି ସାଂସ୍କୃତିକ ସଂଧ୍ୟାରେ ଅତିଥି ଭାବେ ଭାରତ ସରକାରଙ୍କ ବୈଦେଶିକ ତଥା ସଂସ୍କୃତି ରାଜ୍ୟ ମନ୍ତ୍ରୀ ମୀନାକ୍ଷୀ ଲେଖି, ଆସିସିଆର୍ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଡ଼ଃ ବିନୟ ସହସ୍ରବୁଦ୍ଧି, ଡେପୁଟି ଡାଇରେକ୍ଟର ଜେନେରାଲ ଚିନ୍ମୟ ନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

 

ଏହି ଅବସରରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା କଳାକାର ମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରି “ବସୁଧୈବ କୁଟୁମ୍ବ କମ୍” ର ବାର୍ତ୍ତାକୁ ବଡ଼ ସୁନ୍ଦର ଭାବରେ ଉପସ୍ଥାପନ କରି ଦିଲ୍ଲୀର ଶୀତୁଆ ପାଗକୁ ଦେଶାତ୍ମବୋଧକ ରସରେ ରସ ସିକ୍ତ କରିଥିଲେ।
ଓଡ଼ିଶାରୁ ଏକମାତ୍ର ଦଳ ଭାବେ ନିମନ୍ତ୍ରଣ ପାଇ ସ୍ବର୍ଗତ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ବାରା ପ୍ରତିଷ୍ଠିତ ସାଂସ୍କୃତିକ ଗୁରୁକୁଳ ଆଶ୍ରମ “କୋଣାର୍କ ନାଟ୍ୟ ମଣ୍ଡପ”ର ଗୋଟିପୁଅ କଳାକାରମାନେ ବୟୋଜ୍ୟେଷ୍ଠ ଗୋଟିପୁଅ ଗୁରୁ ଜୟକୃଷ୍ଣ ନାୟକ ଓ ନାଟ୍ୟ ମଣ୍ଡପର ଯୁଗ୍ମ ସମ୍ପାଦକ ଗୁରୁପଦ ବଳିଆରସିଂହଙ୍କ ନେତୃତ୍ୱରେ ଦିଲ୍ଲୀରେ ଆୟୋଜିତ ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ଯୋଗଦେଇ ଓଡ଼ିଶାର ଗୋଟିପୁଅ ନୃତ୍ୟ ପରମ୍ପରାର ଗାରିମାକୁ ନୃତ୍ୟ ପରିବେଷଣ ମାଧ୍ୟମରେ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକ ମାନଙ୍କ ହୃଦୟ ଜିଣିଥିଲେ।
ବିଶେଷ ଭାବରେ କେନ୍ଦ୍ର ସଂସ୍କୃତି ରାଜ୍ୟମନ୍ତ୍ରୀ ମଞ୍ଚ ଉପରେ ଗୋଟିପୁଅ ଦଳର କଳାକାର ମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ।
୧୩ ଜଣିଆ ଏହି ଦଳରେ ଗୁରୁ ଜୟକୃଷ୍ଣ ନାୟକ, ଗୁରୁ ବାନାମ୍ବର ସ୍ବାଇଁ, ଗୁରୁ ବାବୁଲି ଭୂୟାଁ, କୁମାର ଟୁବୁଲା, ଜଗନ, ଦୀପକ, ସୂର୍ଯ୍ୟ, ରାଜା, ଆଲୋକ, ରାକେଶ, ଶୁଭ୍ରାଂଶୁ, କାନ୍ହା ପ୍ରମୁଖ କଳାକାରମାନେ ଅଂଶଗ୍ରହଣ କରିଥିଲେ। ଦିଲ୍ଲୀ ଦରବାରରେ ଗୋଟିପୁଅ, ଓଡ଼ିଶୀ ଓ ମୟୂରଭଞ୍ଜ ଛଉ ନୃତ୍ୟ ପରିବେଷଣକୁ ସ୍ଥାନିତ କରିଥିବାରୁ ନାଟ୍ୟ ମଣ୍ଡପର ଯୁଗ୍ମ ସମ୍ପାଦକ ଗୁରୁପଦ ବଳିଆରସିଂହ ଆୟୋଜକ ମାନଙ୍କୁ ସାଧୁବାଦ ଜଣାଇଛନ୍ତି।
କୋଭିଡ୍ ମହାମାରୀ ଯୋଗୁଁ କଳାକାର ମାନେ ଆର୍ଥିକ ଭାବରେ ବହୁ କ୍ଷତି ସହି ଦୁର୍ଦ୍ଦିନରେ ସମୟ କାଟୁଛନ୍ତି, ତେଣୁ କେନ୍ଦ୍ର ସରକାର ଏହିପରି ଭାବେ ପ୍ରୋତ୍ସାହନ ଜାରି ରଖି ଓଡ଼ିଶାର ନୃତ୍ୟ ଓ ସଙ୍ଗୀତକୁ କେନ୍ଦ୍ର ସରକାର ଦ୍ବାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ବହୁ ମାତ୍ରାରେ ସାମିଲ କରି  ଉତ୍କଳୀୟ କଳା ସଂସ୍କୃତି ର ପ୍ରଚାର ପ୍ରସାର ରେ ଏକ ପ୍ରମୁଖ ଭୂମିକା ତୁଲାଇବାକୁ କେନ୍ଦ୍ର ସଂସ୍କୃତି ବିଭାଗ ଓ ଆଇସିସିଆର୍ ଅଧିକାରୀ ମାନଙ୍କୁ ଭେଟି ଶ୍ରୀ ବଳିଆରସିଂହ ନିବେଦନ କରିଛନ୍ତି।
Comments (0)
Add Comment