ସର୍ବୋଦୟ ନେତ୍ରୀ, ଗାନ୍ଧୀବାଦୀ, ପଦ୍ମଶ୍ରୀ ଶାନ୍ତି ଦେବୀଙ୍କର ଦେହାନ୍ତ

ବିଶିଷ୍ଟ ସର୍ବୋଦୟ ନେତ୍ରୀ, ଗାନ୍ଧୀବାଦୀ, ପଦ୍ମଶ୍ରୀ ଶାନ୍ତି ଦେବୀ ଆମ ସମସ୍ତଙ୍କୁ ଛାଡ଼ି ଇହଧାମ ପରିତ୍ୟାଗ କରିଛନ୍ତି। ଗୁଣୁପୁର ସ୍ଥିତ ସେବାସମାଜ ଠାରେ ଗତକାଲି ରାତ୍ରୀ ୧ଟା ସମୟରେ ତାଙ୍କର ଦେହାନ୍ତ ଘଟିଛି । ତାଙ୍କ ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ।

ବାଲେଶ୍ଵର ଜିଲ୍ଲାର ଏକ ଚାଷୀ ପରିବାରରେ ୧୯୩୮ ମସିହା ଏପ୍ରିଲ ୧୮ ତାରିଖରେ ଜନ୍ମଗ୍ରହଣ କରିଥିବା ଶାନ୍ତି ଦେବୀ ସେହି ଜିଲ୍ଲା ଅନ୍ତର୍ଗତ ସୁନହଟର ଜମିଦାର ପରିବାରରେ ବିବାହ କରିଥିଲେ । ସ୍ବାମୀ ଉଚ୍ଚଶିକ୍ଷିତ ରତନ ଦାସ ବଡ ସରକାରୀ ଚାକିରୀ ବା ଜମିଦାରୀ କାର୍ଯ୍ୟରେ ମନୋନିବେଶ କରିବା ବଦଳରେ ଗାନ୍ଧୀ ସର୍ବୋଦୟ ଆନ୍ଦୋଳନରେ ମନୋନିବେଶ କଲେ ।

ସେତେବେଳେ ବିନୋବା ଭାବେ ଓ ଗୋପବନ୍ଧୁ ଚୌଧୁରୀଙ୍କ ନେତୃତ୍ୱରେ ଓଡ଼ିଶାରେ ଭୂଦାନ ଗ୍ରାମଦାନ ଆନ୍ଦୋଳନ ଆରମ୍ଭ ହୋଇଥାଏ। ବିବାହର ମାତ୍ର କେଇଟା ଦିନ ପରେ ଉଭୟ ପତିପତ୍ନୀ ରାଜସୁଖ ପରିତ୍ୟାଗ କରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଦିବାସୀ ବନବାସୀଙ୍କୁ ଜାଗ୍ରତ କରିବା ପାଇଁ ଜୀବନକୁ ସମର୍ପି ଦେଇଥିଲେ।

ଶାନ୍ତି ଦେବୀ ଏହି ଜଙ୍ଗଲ ପାହାଡ଼ରେ କାମ କରିବା ସମୟରେ କେତେବେଳେ ବାଘ ହାବୁଡ଼ରେ ପଡିଛନ୍ତି, ହେଲେ ଡରି ଯାଇନାହାନ୍ତି କି ଫେରି ଆସି ନାହାନ୍ତି। ଏହି ସର୍ବୋଦୟ କର୍ମୀକୁଳଙ୍କ ପାଇଁ ଅବିଭକ୍ତ କୋରାପୁଟର ପଚସ୍ତରୀ ଭାଗରୁ ଅଧିକ ଭୂମୀ ଲୋକେ ଦାନରେ ଦେବା ଫଳରେ ଏହି ଜିଲ୍ଲା ଜିଲ୍ଲାଦାନ ରୂପେ ଘୋଷିତ ହୋଇ ଇତିହାସ ତିଆରି କଲା। ଲୋକେ ନିଜ ନିଜର ଜମି ଉପରୁ ମାଲିକାନା ଛାଡ଼ି ଦେଇ ଗ୍ରାମସଭା କୁ ଦାନ କଲେ।

ଗ୍ରାମସଭା ମାଧ୍ୟମରେ ଗାଆଁର ଭୂମିହୀନ ଓ ଭୂମିବାନ ସମସ୍ତେ ମିଶି ଜମି ଚାଷ କରି ବଞ୍ଚିଲେ। ଗାଁର ଜମି ଖରିଦ ବିକ୍ରୀ ହେଲା ନାହିଁ ,ଓଲଟା ବେଠି ବଗାରୀ ଆଦି ଲୋପ ହୋଇ ସାହୁକାର ବ୍ୟବସ୍ଥା ବି ହଟିଲା। ଏହି ଅଞ୍ଚଳରେ ବ୍ୟାପୁଥିବା ୟଜ ରୋଗର ନିର୍ମୂଳନ କରିବାରେ ସର୍ବୋଦୟ ଆନ୍ଦୋଳନର ଭୂମିକା ମହତ୍ତ୍ଵ ପୂର୍ଣ୍ଣ।
ଶାନ୍ତି ଦେବୀ ବିନୋବାଙ୍କ ଜୀବନୀ ଅହିଂସାର ଅନ୍ୱେଷଣ ଓ ଅନ୍ୟ କେତେକ ପୁସ୍ତକର ଅନୁବାଦ କରିବା ସହ ଅନେକ ପୁସ୍ତକ ରଚନା କରିଛନ୍ତି। ରାୟଗଡ଼ା ଜିଲ୍ଲାର ଗୁଣୁପୁର ନିକଟରେ ସେବା ସମାଜ ଗଢି ଏହି ଦମ୍ପତ୍ତି ଅନାଥ ଓ ଆଦିବାସୀ ହରିଜନ ପିଲାଙ୍କର ସେବାରେ ଆଜୀବନ ବ୍ରତୀ ଥିଲେ। ଗତକାଲି ୮୮ବର୍ଷ ବୟସରେ ଶାନ୍ତି ଦେବୀଙ୍କର ଦେହାନ୍ତ ହୋଇଯାଇଛି।

ସେ ଗତବର୍ଷ ସମ୍ମାନ ଜନକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ସେ ଜମୁନାଲାଲ ବଜାଜ ସମ୍ମାନ ଭଳି ଅନେକ ସମ୍ମାନ ରେ ବି ସମ୍ମାନିତ ହୋଇଛନ୍ତି ।

Comments (0)
Add Comment