ଅହମ୍ମଦିଆ ଯୁବ ସଙ୍ଗଠନ ଆନୁକୁଲ୍ୟରେ ନବ ବର୍ଷରେ ସଫେଇ ଅଭିଯାନ

ଢେଙ୍କାନାଳ : ସାମ୍ପ୍ରଦାୟିକ ବିଭେଦତାକୁ ନେଇ ଅଶାନ୍ତି ହେଉଛି ବିଶ୍ୱ। ଘଟୁଛି ହିଂସାକାଣ୍ଡ। ଅନେକ ସମୟରେ ପରିସ୍ଥିତି ଅଣାୟତ୍ତ ହୋଇପଡୁଛି। ହେଲେ ଏଭଳି ଅନେକ ସଙ୍ଗଠନ ମାନବିକତା, ଭାଇଚାରା, ସଦ୍‌ଭାବନା ସୃଷ୍ଟି କରି ସାଜିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ। ଏହି କ୍ଷେତ୍ରରେ ଆଗକୁ ପାଦ ବଢାଇଛନ୍ତି ଅହମ୍ମଦିୟା ଯୁବ ସଙ୍ଗଠନର ସଦସ୍ୟମାନେ।

ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ଠାରେ ମଜଲିସ ଖୁଦ୍ଦାମୁଲ ଅହମଦିୟା ଅର୍ଥାତ୍ ଅହମଦିୟା ମୁସଲିମ ଯୁବ ସଂଗଠନ  ସଫେଇ ଅଭିଯାନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଅଛି। ତହଜ୍ଜୁଦ୍ ଏବଂ ସକାଳର ନମାଜ ପାଠ ପରେ ସାମୁହିକ ଦୁଆ (ପ୍ରାର୍ଥନା) କରି ଅହମଦି ଯୁବକମାନେ ଗୁଣ୍ଡିଚାପଡ଼ା ଛକ ଶହିଦ ସ୍ମାରକ ଠାରୁ ଗାଁ ପର୍ଯ୍ୟନ୍ତ ସାର୍ବଜନିକ ସଡ଼କ ଗୁଡ଼ିକ ସଫା କରିଥିଲେ। ଅହମଦି ଯୁବକମାନେ ଏକତା ଓ ଅଖଣ୍ଡତାର ସଂଦେଶ ଦେଇ ଜାମା ମସଜିଦ ଏବଂ ଗ୍ରାମଦେବୀ ଜେନାମଣି ମନ୍ଦିର ପରିସରକୁ ମଧ୍ୟ ସ୍ୱଚ୍ଛ କରିଥିଲେ।

ଏହି ଅବସରରେ ଅହମଦିୟା ଯୁବ ସଂଗଠନର ଅଧ୍ୟକ୍ଷ ମହମୁଦ ଖାଁ କହିଥିଲେ ଯେ ଇସଲାମ ଧର୍ମ ପବିତ୍ରତାର ଶିକ୍ଷା ଦେଇଥାଏ, ମହାପୁରୁଷ ମୁହମ୍ମଦଙ୍କ ମୁଖନିଃସୃତ ବାଣୀ ହଦିସରେ ବର୍ଣ୍ଣନା ଅଛି “ପବିତ୍ରତା ବିଶ୍ୱାସର ଅଂଶ ବିଶେଷ”। ଜାତି,ବର୍ଣ୍ଣ, ଧର୍ମ ଅନ୍ତତଃ ଆମେ ସମସ୍ତେ ଏକ୍, ଆମ ପରିବେଶକୁ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ଵ। ଏହି ସ୍ୱଚ୍ଛତା ଅଭିଯାନଟିକୁ ସାଫଲ୍ୟ କରିବା ନିମନ୍ତେ ଅହମଦିୟା ମୁସଲିମ ସମ୍ପ୍ରଦାୟ ଗୁଣ୍ଡିଚାପଡ଼ାର ସଭାପତି ସୁଲେମାନ ଅଲୀ ଖାଁ, ଯୁବ ସଂଗଠନର ଉପାଧ୍ୟକ୍ଷ ରମଜାନ ବକ୍ସ ସମେତ ବହୁସଂଖ୍ୟାରେ ଅହମଦି ଯୁବକମାନେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ, ଅହମଦି ଯୁବକମାନଙ୍କର ଏହି ପଦକ୍ଷେପ ଏକତା ଓ ଅଖଣ୍ଡତାର ସଂଦେଶ ଦେଇଛି, ତଥା ଗ୍ରାମବାସୀମାନେ ଏହିଭଳି କାର୍ଯ୍ୟକୁ ସରାହନା କରିଛନ୍ତି।

Comments (0)
Add Comment