ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟର ସୌନ୍ଦର୍ଯ୍ୟ ଓ କଳା ଉପସ୍ଥାପନ

ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଉଦ୍‌ଘାଟନ

ଭୁବନେଶ୍ୱର : ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଓଡ଼ିଶା ପାଇଁ ନିଶ୍ଚିତ ଭାବେ ଏକ ଗର୍ବ ଓ ଗୌରବର କଥା । ଏହି ଉତ୍ସବ ଆୟୋଜନର ମୂଳ ଉଦ୍ଦେଶ୍ୟ ପୃଥିବୀର ବିଭିନ୍ନ ସ୍ଥାନରୁ ଆସିଥିବା ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟର ସୌନ୍ଦର୍ଯ୍ୟ ଓ କଳାକୁ ଦର୍ଶକମାନଙ୍କ ଆଗରେ ଉପସ୍ଥାପନ କରିବା ଏବଂ ଆନ୍ତର୍ଜାତୀୟ ସ୍ଥରରେ ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର କରିବା । ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ ଉତ୍ସବ ଉଦ୍‌ଘାଟନୀ ଉତ୍ସବ ଉକ୍ରଳ ରଙ୍ଗମଞ୍ଚଠାରେ ଏକ ବର୍ଣ୍ଣାଢ୍ୟ ଓ ମନୋଜ୍ଞ ପରିବେଶ ଭିତରେ କୋଭିଡ଼ ନୟମକୁ ଅନୁସରଣ କରି ଆରମ୍ଭ ହୋଇଯାଇଅଛି । ଏହି ପାଞ୍ଚ ଦିନିଆ ନୃତ୍ୟ କାର୍ଯ୍ୟକ୍ରମରେ ବିଦେଶ, ଦେଶ ତଥା ରାଜ୍ୟର କଳାକାର ପ୍ରାୟ ୪୦୦ରୁ ଅଧିକ ଯୋଗଦାନ କରୁଅଛନ୍ତି ।

ଉଦ୍ଘାଟନୀ ଉତ୍ସବର ଅତିଥିମାନେ ଥିଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସମ୍ପାଦିକା ଗୁରୁ ଅରୁଣା ମହାନ୍ତି; ସୃଜନ ଅନୁଷ୍ଠାନର ନିର୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର; ଓଡ଼ିଶୀ ନୃତ୍ୟକୁ ସୁଦୁର ଆମେରିକାରେ ପ୍ରଚାର ଓ ପ୍ରସାର କରୁଥିବା ଗୁରୁ ବିଷ୍ଣୁତତ୍ତ୍ୱ ଦାସ; ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ ଓ ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼. ସଙ୍ଗୀତା ଗୋସାଇଁ ।

ପ୍ରଥମେ ଏକକ ନୃତ୍ୟ ପର୍ଯ୍ୟାୟରେ ବିଶିଷ୍ଟ ନୃତ୍ୟଶିଳ୍ପୀ ରାହୁଲ ଆଚାର୍ଯ୍ୟଙ୍କ ଦ୍ୱାରା ସୂର୍ଯ୍ୟାଷ୍ଟକ-ଆଦିଦେବ ନମସ୍ତୁତେ ଦିବାକର ନମସ୍ତୁତେ ଯାହା ରାଗ ବୈରାଗୀ ଓ ତାଳ ଯତି ଉପରେ ନିବଦ୍ଧ ଥିଲା ପରେ ପରେ ଦେବରତୀ ଗୋସ୍ୱାମୀଙ୍କ ଦ୍ୱାରା ନୃତ୍ୟାଭିନୟ କେଡ଼େ ଛନ୍ଦ ଜାଣେ ଲୋ ସହୀ ନନ୍ଦ ରାଜାର ଟିକି ପିଲାଟି ଯାହା ରାଗ ମିଶ୍ରକାଫି ଓ ତାଳ ଖେମଟା ଉପରେ ପର୍ଯ୍ୟବେସିତ ଥିଲା ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଆଲୋକା କାନୁନ୍‌ଗୋ । ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଏକକ ପର୍ଯ୍ୟାୟରେ ଅମୁଲ୍ୟ ବଳବନ୍ତରାଏଙ୍କ ଦ୍ୱାରା ଅଭିନୟ ଗଙ୍ଗା – ଓ ଗଙ୍ଗାୟ ନମଃ ପରେ ପରେ ଦୈତ ନୃତ୍ୟ ପର୍ଯ୍ୟାୟରେ ସାୟନୀ ଚକ୍ରବର୍ତ୍ତୀ ଓ ସୁଭମ୍‌ ଓଝାଙ୍କ ଦ୍ୱାରା ଭଗବାନ ଶିବଙ୍କ ଉପରେ ଆଧାରିତ ନୃତ୍ୟାଭିନୟ ଶିବମ୍‌ଧିମହୀ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଅରୁଣା ମହାନ୍ତି ପରେ ପରେ ବନ୍ଦିତା ଘୋଷାଲଙ୍କ ଦ୍ୱାରା ଜୟଦେବଙ୍କ ରଚନାରୁ ଉଦ୍ଧୃତ ନୃତ୍ୟାଭିନୟ ଧୀର ସମୀରେ ଯମୁନା ତିରେ ଯାହା ରାଗ କଳାବତୀ ଓ ତାଳ ଏକତାଳୀ ଉପରେ ନିବଦ୍ଧ ଥିଲା । ଦିଲ୍ଲୀରୁ ଆସିଥିବା ପ୍ରୀୟଙ୍କା ଦାସ ଓ ଅନୁସା ଚୌଧୁରୀଙ୍କ ଦ୍ୱାରା ଦୈତ୍ୟ ନୃତ୍ୟ ପରିବେସଣ । ତା ପରେ ଏକକ ପର୍ଯ୍ୟାୟରେ ରୋଜାଲିନ୍‌ ମହାପାତ୍ରଙ୍କ ଦ୍ୱାରା ଅଭିନୟ ନିଷ୍କାମ ଭକ୍ତି ଏବଂ ପରେ ପରେ ରତ୍ନପଦ୍ମା ଅସ୍‌ମିତା ଯାଗ୍ୟସେନୀ ଦ୍ୱାରା ଏକକ ନୃତ୍ୟ ଏବଂ ଶେଷ ପ୍ରସ୍ତୁତିଟି ଥିଲା ଦଳଗତ ନୃତ୍ୟ ପର୍ଯ୍ୟାୟରେ ବାଲେଶ୍ୱରର ଗୁରୁକ୍ରୀତି ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ନୃତ୍ୟ ପରିବେଶଣ ।

ଏହି ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବଟିର ସିଧାପ୍ରସାରଣ (ଲାଇଭ୍‌ ଷ୍ଟ୍ରିମିଂ) ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ଫେସବୁକ୍‌ ଓ ୟୁଟୁ୍ୟବ୍‌ ପେଜ୍‌ ତଥା ଓଡ଼ଶା ଟୁଡ଼େ ୱେବ୍‌ସାଇଟରେ ଆସନ୍ତା ପାଞ୍ଚଦିନଧରି ପ୍ରସାରିତ ହେବ । ଆସନ୍ତା କାଳି ପୂର୍ବାହ୍ନ ୧୦ ଟାରୁ ୨ଟା ପର୍ଯ୍ୟନ୍ତ ବହୁ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଶଷ କରିବେ ଏବଂ ଦିନ ୪ଟାରୁ ପୁଣି ଆରମ୍ଭ ହେବ ଅପରାହ୍ନ ଓ ସାନ୍ଧ୍ୟ ନୃତ୍ୟ କାର୍ଯ୍ୟକ୍ରମ । କୋଭିଡ଼ ନିୟମକୁ ଅନୁସରଣ କରି ବହୁତ ଶଳ୍ପ ଦର୍ଶକଙ୍କ ଉପସ୍ଥିତିରେ ଏହି ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଗୁରୁ କେଳୁଚଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଥିବା ଉକ୍ରଳ ରଙ୍ଗମଞ୍ଚରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

Comments (0)
Add Comment