ବି ପି ଏଲ ଙ୍କୁ ପାଣି ପାଇପ ସଂଯୋଗ ରେ ୫ କୋଟି ଟଙ୍କା ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ ଦାବି

 ଢେ଼ଙ୍କାନାଳ : ଭୁବନ ଜନସ୍ବାସ୍ଥ୍ୟ ବିଭାଗ ସମ୍ପ୍ରତି ଦୁର୍ନୀତି,ପ୍ରୀୟାପ୍ରିତି ,ଅନିୟମିତା ଓ ସ୍ୱେଚ୍ଛାଚାରିତା ଚରମ ସୀମାରେ ପହଞ୍ଚିଛି । ଏହି କାର୍ଯ୍ୟାଳୟ ରେ ସରକାରଙ୍କ ବଦଳି ନୀତି ବଳି ପଡ଼ିଛି । ଜଣେ କର୍ମଚାରୀ ଅତି ବେଶି ରେ ୩ ବର୍ଷ ରୁ ୫ ବର୍ଷ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ କାର୍ଯ୍ୟ କରିପାରିବାର ସରକାରଙ୍କ ନିୟମ ଥିଲା ବେଳେ ଏଠାରେ ନିଯୁକ୍ତି ପ୍ରାପ୍ତ ଯନ୍ତ୍ରୀ ଜଣକ ଦୀର୍ଘ ୧୪ ବର୍ଷରୁ ଉର୍ଦ୍ଧ୍ବ ସମୟ କିଭଳି ଭାବେ ରହିଲେଣି ବୋଲି ବୁଦ୍ଧିଜୀବୀ ମହଲ ବିସ୍ମୟ ପ୍ରକାଶ କରୁଛନ୍ତି ।

ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ, ସୋନାଲି ନାଏକ ୨୦୦୮-୦୯ ରେ ଭୁବନ ଜନସ୍ୱାସ୍ଥ୍ୟ ବିଭାଗ ରେ କନିଷ୍ଠ ଯନ୍ତ୍ରୀ ଭାବେ ଯୋଗଦେଇଥିଲେ । ୨୦୧୩-୧୪ ରେ କନିଷ୍ଠ ଯନ୍ତ୍ରୀ ରୁ ସହକାରୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ । ଆଶ୍ଚଯ୍ୟ ଜନକ ଭାବେ ପଦୋନ୍ନତି ପାଇ ଅନ୍ୟତ୍ର ବଦଳି ନ ହୋଇ ଏଠାରେ ରହି ଅଦ୍ୟାବଧି କାର୍ଯ୍ୟ କରୁଛନ୍ତି । କନିଷ୍ଠ ଯନ୍ତ୍ରୀ ଭାବେ ୪ ବର୍ଷ ଓ ତା ପରେ ସହକାରୀ ଯନ୍ତ୍ରୀ ଭାବେ ୧୦ ବର୍ଷ ଏମିତି ସମୁଦାୟ ୧୪ ବର୍ଷ ହେଲା ଏଠାରେ ରହି ରାଜ୍ କରିବା ସହିତ ମାତ୍ରାଧିକ ଦୁର୍ନୀତି ଅନିୟମିତତା ରେ ଲିପ୍ତ ରହି ଆୟବର୍ହିଭୂତ ସମ୍ପତି ଠୁଳ କରିବାରେ ଲାଗିଛନ୍ତି ।

କୋଟି କୋଟି ଟଙ୍କା ର ପାଇପ ବିଛା କାର୍ଯ୍ୟ ରେ ଜନୈକ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ବାରମ୍ବାର ଟେଣ୍ଡର ଦିଆଯାଉଥିବା ବେଳେ ଗ୍ରୀଷ୍ମ ଋତୁରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ମଧ୍ୟ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଦିଆଯାଇ ମୋଟା ଅଙ୍କର ପିସି ଆଦାୟ କରୁଥିବା ଅଭିଯୋଗ ହେଉଛି । ପାଇପ ବିଛା କାର୍ଯ୍ୟ ପାଇଁ ସାରା ସହର ରାସ୍ତା କୁ ଖୋଳି ତାଡି ନଷ୍ଟ କରିଦେଉଛନ୍ତି । ଏନ୍ ଏ ସି ତରଫରୁ ନିର୍ମାଣ କରାଯାଇଥିବା ଫେବର ରାସ୍ତାକୁ ମଧ୍ୟ ଖୋଳି ନଷ୍ଟ କରିଦେଇଛନ୍ତି । ପାଇପ କାର୍ଯ୍ୟ ପାଇଁ ଯେଉଁ ରାସ୍ତା ଖୋଳା ଯାଉଛି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାହାକୁ ମରାମତି କରା ନଯାଇ ସେମିତି ଛାଡ଼ି ଦିଆ ଯାଉଛି । ରାସ୍ତା ଖରାପ ହେବା ସହ ସୋନ୍ଦର୍ଯ୍ୟ ହାନି ହେଉଛି । ସର୍ବନିମ୍ନ ୩ ଫୁଟ ଖୋଳିବାର ନିୟମ ଥିଲା ବେଳେ ମାତ୍ର ୧ ଫୁଟ ରୁ ଦେଢ଼ ଫୁଟ ଖୋଳା ଯାଉଛି।ଫଳରେ ଭାରିଯାନ ଯିବା ଯୋଗୁ ପାଇପ ଫାଟି ରାସ୍ତାରେ ପାଣିର ସୁଅ ଛୁଟୁଛି ।

କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସତ୍ତ୍ବେ ପାନୀୟ ଜଳ ଯୋଗାଣ ସମସ୍ୟା ର ସମାଧାନ ହୋଇ ପାରୁନି । ନିୟମିତ ଭାବେ ପାନୀୟ ଜଳ ଯୋଗାଇ ଦିଆଯାଉନାହିଁ । ଅନେକ ସ୍ଥାନରେ ଲୋ ପ୍ରେସର ଯୋଗୁ ଲୋକେ ପାଣି ପାଇପାରୁନାହାନ୍ତି ବୋଲି କାଉନସିଲର ଗିରିଧାରୀ ସାହୁ ,ସୁଶାନ୍ତ ନାୟକ ଅଭିଯୋଗ କରିଛନ୍ତି। ବିପିଏଲ କନେକ୍ସନ ରେ ବ୍ୟାପକ ଦୁର୍ନୀତି ହୋଇଥିବା ଜଣାପଡିଛି। ଗୋଟିଏ ବି ପି ଏଲ ପରିବାର କୁ ପାଣି ପାଇପ ସଂଯୋଗ ପାଇଁ ସରକାର ୧୦ ହଜାର ଟଙ୍କା ଦେଉଥିବା ବେଳେ ଭୁବନ ର ହାରାହାରି ୫ ହଜାର ରୁ ଉର୍ଦ୍ଧ୍ବ ବିପିଏଲ ପରିବାର କୁ ପାଣି ପାଇପ ସଂଯୋଗ ରେ ପ୍ରାୟ ୫ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।

କାରଣ ପୂର୍ବରୁ ଅଧିକାଂଶ ବିପିଏଲ / ଏ ପିଏଲ ଲୋକ ବିଭାଗୀୟ କର୍ମଚାରୀଙ୍କୁ ହାତ ଗୁଞ୍ଜା ଦେଇ ଘରକୁ ପାଣି ପାଇପ କନେକ୍ସନ ନେଇଥିବା ବେଳେ ପରେ ବିପିଏଲ ତାଲିକା ଦେଖି ସମସ୍ତଙ୍କୁ ରେଗୁଲାର କରି ଏ ବାବଦ ରେ କୋଟି କୋଟି ଟଙ୍କା ଆତ୍ମସାତ କରାଯାଇଥିବା ସ୍ପଷ୍ଟ ହୋଇଛି । ଯନ୍ତ୍ରୀ ଶ୍ରୀମତୀ ସୋନାଲି ନାଏକ ଆଦୌ ଅଫିସ୍ ଆସୁନଥିବାରୁ ସାଧାରଣ ଲୋକ ନିଜର ସମସ୍ୟା ଜଣାଇ ପାରୁନାହାନ୍ତି । ଯଦି କୌଣସି ଲୋକ ତାଙ୍କ କ୍ୱାଟର ଯାଇ ଯନ୍ତ୍ରୀଙ୍କୁ ଖୋଜିଲା ତାହେଲେ ସମସ୍ୟା ଶୁଣିବା ତ ଦୂରର କଥା, ଯନ୍ତ୍ରୀଙ୍କ ରୁକ୍ଷ ବ୍ୟବହାର ସାଙ୍ଗକୁ ଦୂର ଦୂର ମାର ମାର ରେ ଅତିଷ୍ଟ ହୋଇ ଫେରୁଛନ୍ତି । ଯନ୍ତ୍ରୀଙ୍କୁ କୌଣସି ବିଭାଗୀୟ ପାଣି ପାଇପ କାର୍ଯ୍ୟରେ ଆଦୌ ଦେଖିବାକୁ ମିଳେନାହିଁ । ସର୍ବଦା ନିଜର ଅଧସ୍ତନ କର୍ମଚାରୀଙ୍କୁ ପଠାଇ ଦେଇ ନିଜେ ଆରାମ କରନ୍ତି ।ପ୍ରତ୍ୟେକ ସରକାରୀ ସଭା ସମିତି,ଆଲୋଚନା ରେ ଯନ୍ତ୍ରୀ ଙ୍କ ବଦଳରେ ତାଙ୍କ ପ୍ରତିନିଧି ଯୋଗ ଦିଅନ୍ତି ଓ ଜେଇ / ଏ ଇ ସ୍ଥାନରେ ନିଜ ନାମରେ ଦସ୍ତଖତ ଦେଉଛନ୍ତି ।

ସେ ପ୍ରମାଣ ମଧ୍ୟ ହସ୍ତଗତ ହୋଇଛି । ଯନ୍ତ୍ରୀ ମହାଶୟା ଜଣକ ଆଦୌ ତାଙ୍କ ସରକାରୀ ବାସ ଭବନ ରୁ ପଦାକୁ ବାହାରୁ ନଥିବା ବେଳେ ଟୁର ଡାଇରୀ ମେଣ୍ଟନ କରି ସରକାରୀ ପଇସା ଲୁଟ କରୁଛନ୍ତି । ଆଦୌ କୌଣସି ଅଭିଜ୍ଞତା ନଥିବା ,ସମ୍ପୂର୍ଣ୍ଣ ଅନଭିଜ୍ଞ ହୋଇ କେବଳ କୋଟା ରେ ଚାକିରି ପାଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଖୁସି କରାଇ ଦୀର୍ଘ ୧୪ ବର୍ଷ ହେଲା ଏଠାରେ ରହି ରାଜ୍ କରୁଛନ୍ତି ବୋଲି ଖୋଦ୍ ବିଭାଗୀୟ କର୍ମଚାରୀ ମାନେ ପ୍ରକାଶ କରୁଛନ୍ତି। ମହିଳା ଯନ୍ତ୍ରୀ ଙ୍କ ଦୁର୍ନୀତି ,ଆୟ ବହିର୍ଭୁତ ସମ୍ପତ୍ତିର ତଦନ୍ତ ଓ ତାଙ୍କ ବଦଳି ପାଇଁ ଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ସଚିବ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ ସତ୍ବେ ଏନ୍ ଏ ସି କାଉନସିଲ ମିଟିଂ ରେ ରିଯୋଲ୍ୟୁସନ୍ ହେବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନଯିବା ପଛରେ କେଉଁ ଅଦୃଶ୍ୟ ଶକ୍ତି କାର୍ଯ୍ୟ କରୁଛି ତାହା ବୁଝା ପଡୁନି।

ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ଙ୍କ କଳା କାରନାମା ,ଆୟ ବହିର୍ଭୁତ ସମ୍ପତ୍ତି ଓ ବିପିଏଲ ପରିବାର କୁ ପାଣି ପାଇପ ସଂଯୋଗ ର ଭିଜିଲାନ୍ସ ତଦନ୍ତ କରାଯିବା ସହ ଅନ୍ୟତ୍ର ବଦଳି କରାଯିବାକୁ ଦାବି ହୋଇଛି।

Comments (0)
Add Comment