ଅନୁଗୋଳ ଖମାରରେ ‘ଗରିବ କଲ୍ୟାଣ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ

ଅନୁଗୋଳ : ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ଭଳି ଆଖିରେ ଅନ୍ଧ ପୁଟୁଳି ବାନ୍ଧିଛନ୍ତି ।

ଏହିଭଳି ଭାବେ ଦୀର୍ଘ ୨୩ ବର୍ଷର ସ୍ଥାଣୁ ସରକାରରେ ଦୀପ ତଳ ଅନ୍ଧାର ଭଳି ଅନୁଗୋଳ ଅଞ୍ଚଳ ଆଜି ନିଷ୍ପେସିତ ହୋଇଅଛି ବୋଲି ରବିବାର ଅନୁଗୋଳର ଖମାର ଠାରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମୋଦି ସରକାରଙ୍କ ସୁଶାସନର ୯ ବର୍ଷ ପୂର୍ତ୍ତି ଅବସରରେ ‘ରାଷ୍ଟ୍ରୀୟ ମହାଜନସମ୍ପର୍କ ଅଭିଯାନ’ ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କଣିହାଁ ଚଷାଚାଷୀ ଓ କୃଷି ଆଧାରିତ ଅର୍ଥନୀତିର ଅଞ୍ଚଳ ।

ମାତ୍ର ଦୀର୍ଘ ୨୩ ବର୍ଷର ଅପାରଗ ଶାସନ କାରଣରୁ ଇଞ୍ଚେ ବି ଚାଷ ଜମିରେ ଜଳସେଚନର ବ୍ୟବସ୍ଥା ହୋଇପାରିଲା ନାହିଁ ।

ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ଦରଦ ନ ଥିବାରୁ କଣିହାଁ ଅଞ୍ଚଳରେ ଜଳସେଚନର ବ୍ୟବସ୍ଥା ହୋଇନାହିଁ ।

ରେଙ୍ଗାଲି ଡ୍ୟାମ, ସମଲ ବ୍ୟାରେଜ, ରେଙ୍ଗାଲି ଲେଫ୍ଟ କେନାଲ, ରେଙ୍ଗାଲି ରାଇଟ୍ କେନାଲ, ପ୍ରସ୍ତାବିତ ଦୁର୍ଗାପୁର କେନାଲ ଏହି ଅଞ୍ଚଳରେ ଅଛି ।

ସମାକୋଇ ନଦୀ ଉପରେ ଥିବା ଜଳସେଚନ ପ୍ରକଳ୍ପ ଆକାଶ କଇଁଆ, ଚିଲିକା ମାଛ ଭଳି ହୋଇ ରହିଅଛି । ଏହାକୁ କଣ ଶାସନ କୁଆଯାଏ ?

ମୋଦି ସରକାରରେ ଅନୁଗୋଳ ଜିଲ୍ଲା ଓଡ଼ିଶାର ରାଜକୋଷକୁ ପ୍ରାୟ ୬୦ ହଜାର କୋଟି ଟଙ୍କା ଦେଇଛି । ଏହା ସତ୍ତ୍ୱେ ଅଞ୍ଚଳର ଯୁବକ ଦାଦନ ଖଟିବାକୁ ଯାଉଛି । ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିପର୍ଯ୍ୟସ୍ତ ।

ଏଠାରେ ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର ଥିବା ପରେ ମଧ୍ୟ ବିଦ୍ୟୁତର ଅଭାବ ଅଛି । ତାଳଚେର କୋଇଲାରେ ଓ ରେଙ୍ଗାଲିର ପାଣିରୁ ଉତ୍ପାଦିତ ହେଉଥିବା ବିଜୁଳିରେ ସାରା ଓଡ଼ିଶା ଆଲୋକିତ ହୁଏ । କିନ୍ତୁ ଦୀପ ତଳ ଅନ୍ଧାର ଭଳି ଏହି ଅଞ୍ଚଳ ଆଜି ନିଷ୍ପେସିତ ।

ଅପରପକ୍ଷରେ ଗତ ୬ ମାସରେ ୧୦୦ରୁ ଉର୍ଦ୍ଧ୍ୱ କୋଟି ଟଙ୍କା ତଳିଆ ସରକାରୀ କର୍ମଚାରୀଙ୍କ ଠାରୁ ଜବତ ହୋଇଛି । ଓଡ଼ିଶାର ତୃତୀୟ ମହଲାର ପ୍ରଚ୍ଛଦପଟ୍ଟରେ ପ୍ରୋତ୍ସାହନ ମିଳୁଥିବା କାରଣରୁ ଏହା ସମ୍ଭବ ହୋଇଛି ।

ଷ୍ଟପ୍ ପିସି କହୁଥିବା ମୁଖ୍ୟମନ୍ତ୍ରୀ ଆଜି ଧ୍ରୃତରାଷ୍ଟ୍ର ଭଳି ଆଖିରେ ଅନ୍ଧ ପୁଟୁଳି ବାନ୍ଧିଛନ୍ତି । ତୃତୀୟ ମହଲାର କିଛି ଲୋକ ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ରାଜ୍ୟରେ ହରିଲୁଟ କରୁଛନ୍ତି । ଏହା ଉପରେ ପ୍ରଶ୍ନ କଲେ ଦିନରେ ଲଣ୍ଠନ ଦେଖାଇବା ଭଳି କଥା କହୁଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ହୋଇଥିବା ଗରିବ କଲ୍ୟାଣ ଯୋଜନାରେ ଅନୁଗୋଳ ବିଶେଷ ଲାଭ ପାଇଛି ।

ଅନୁଗୋଳରେ ମୋଦିଜୀ ୯ ବର୍ଷରେ ଗରିବ କଲ୍ୟାଣ ଯୋଜନାରେ ଚାଉଳ, ଆବାସରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା, ଉଜ୍ଜ୍ୱଳା ଗ୍ୟାସ, ମୁଦ୍ରା ଋଣ, ବାର୍ଦ୍ଧକ୍ୟ ଭତ୍ତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ଏବଂ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ଅନୁଗୋଳ ଜିଲ୍ଲାର ୩ ଲକ୍ଷ ୯ ହଜାର ୩୭୮ ଟି ପରିବାରକୁ ସର୍ବମୋଟ ୮ ହଜାର ୭୨୦ କୋଟି ଟଙ୍କା ଦେଇଛନ୍ତି ।

ପରିବାର ପିଛା ପ୍ରାୟ ୨ ଲକ୍ଷ ୮୧ ହଜାର ୮୫୬ ଟଙ୍କା ମିଳିଛି ।ପଞ୍ଚଦଶ ଅର୍ଥ କମିଶନରେ ଓଡ଼ିଶାକୁ ୨.୨୨ ଲକ୍ଷ କୋଟି ଅନୁଦାନ ମିଳିଛି । ଚତୁର୍ଦ୍ଦଶ କମିଶନରେ ଓଡ଼ିଶାକୁ ୧.୮୪ ଲକ୍ଷ କୋଟି ଏବଂ ତ୍ରୟୋଦ୍ଦଶ ଅର୍ଥ କମିଶନରେ ୬୯ ହଜାର ୩୧୬ କୋଟି ମିଳିଥିଲା।

ଖଣି ନୀତିରେ ସଂସ୍କାର କାରଣରୁ ଓଡ଼ିଶା ୨୦୨୨-୨୩ରେ ପ୍ରାୟ ୫୦ ହଜାର କୋଟି ଟଙ୍କା ପାଇଛି । ପୂର୍ବ ସରକାରରେ ଓଡ଼ିଶା ମାତ୍ର ୫ ହଜାର ରାଜସ୍ୱ ପାଉଥିଲା । ସେହିପରି ଓଡ଼ିଶାକୁ ୨୦୨୨-୨୩ରେ ୪୯ ହଜାର ୪୪୨ କୋଟି ଟଙ୍କା ମିଳିଛି । ଓଡ଼ିଶାରେ ୨୦୨୩ ଜାନୁଆରୀ ସୁଦ୍ଧା ୨୧ ହଜାର ୩୭୪ କୋଟି ଡିଏମଏଫ ଟଙ୍କା ଆଦାୟ ହୋଇଛି ।

ମୋଦି ସରକାରରେ ଗଠିତ ଡିଏମଏଫ ପାଣ୍ଠିରେ ଏହି ଅଞ୍ଚଳରେ ଅଙ୍ଗନବାଡ଼ି ଓ ବିଦ୍ୟାଳୟ ସମେତ ଜନକଲ୍ୟାଣକାରୀ କାର୍ଯ୍ୟ କରାଯାଇଛି । ଅନୁଗୋଳ-ସୁକିନ୍ଦା ରେଳ ଲାଇନ ସହ ରେଳ ଭିତ୍ତିଭୂମିକୁ ମଜଭୂତ୍ କରାଯିବା ସହ ସଡକପଥକୁ ବିକଶିତ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ କଣିହାଁ ସ୍ଥିତ “ତାଳଚେର ପ୍ରଜାମଣ୍ଡଳ ଶହୀଦ୍ ସ୍ମୃତି ସ୍ତମ୍ଭ” ସମେତ ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର ସ୍ଵର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

କଂସମୁଣ୍ଡା ସ୍ଥିତ ରାଧାକୃଷ୍ଣ ମନ୍ଦିର ଓ ମାଉସୀ ମା’ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମ ରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି,ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ଲିଙ୍ଗରାଜ ଦାସ, ଚନ୍ଦନ ସ୍ୱରାଜ, ନୃସିଂହ ବରାଳ ପ୍ରମୁଖ ମଂଚାସୀନ ଥିଲେ |

Comments (0)
Add Comment