ନିର୍ଭିକ ଓ ପ୍ରଭାବଶାଳୀ ସାମ୍ବାଦିକ ଥିଲେ ମନୋରଞ୍ଜନ

ଢେଙ୍କାନାଳ : ମନୋରଞ୍ଜନ ନନ୍ଦ ଜଣେ ଭଲ ସାହିତ୍ୟ ସଂଗଠକ ଓ ପ୍ରଭାବୀ ସାମ୍ବାଦିକ ଥିଲେ । ସାମ୍ବାଦିକତା କ୍ଷେତ୍ରରେ ସେ ଯଥେଷ୍ଟ ସୁନାମ ଅର୍ଜନ କରିଥିଲେ । ପ୍ରଶାସନିକ ଅଧିକାରୀମାନେ ତାଙ୍କୁ ବହୁତ ଖାତିର କରୁଥିଲେ ।  ସାହିତ୍ୟ ଓ ସାମ୍ବାଦିକତାକୁ ଆୟୁଧ କରି ସେ ଲୋକଙ୍କ ସମସ୍ୟାକୁ ସମାଧାନ କରୁଥିଲେ ବୋଲି ଶୋକସଭାରେ ମତ ପ୍ରକାଶ ପାଇଛି ।

ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଓ ସାମ୍ବାଦିକ ମନୋରଞ୍ଜନ ନନ୍ଦଙ୍କ ବିୟୋଗରେ ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଶୋକସଭା ସଂଘ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକସଭାରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ରଥ ସ୍ମୃତିଚାରଣ କରି ମନୋରଞ୍ଜନ ନନ୍ଦ ଜଣେ ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଜଣେ ଉଜ୍ୱଳ ଜ୍ୟୋତିଷ ଥିଲେ ବୋଲି ବର୍ଣ୍ଣନା କରିବା ସହିତ ସେ ଜଣେ ଅତ୍ୟନ୍ତ ମେଳାପୀ ଓ ମଜାଳିଆ ଲୋକ ଥିଲେ ବୋଲି କହିଥିଲେ । ସେ ଲୋକଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ସାହିତ୍ୟ ଓ ସାମ୍ବାଦିକତାକୁ ଆୟୁଦ୍ଧ କରି ଜୀବନତମାମ କାର୍ଯ୍ୟ କରୁଥିଲେ ।

ଅନ୍ୟତମ ସାମ୍ବାଦିକ ରତନ ନାୟାର ସ୍ମୃତିଚାରଣ କରି ମନୋରଞ୍ଜନଙ୍କ ସାମ୍ବାଦିକ ଓ ସାହିତ୍ୟ କ୍ଷେତ୍ରରେ ଥିବା ଅବଦାନକୁ ମନେ ପକାଇଥିଲେ । ସାମ୍ବାଦିକ ଶିଶିର ଶତପଥୀ ଯୋଗଦେଇ ସେ ସାମ୍ବାଦିକତାରେ ବହୁ ସକ୍ରିୟ ରହିଥିଲେ । ସେତେବେଳେ ପ୍ରଶାସନିକ ଅଧିକାରୀମାନେ ତାଙ୍କୁ ବହୁତ ଗୁରୁତ୍ୱ ଦେଉଥିଲେ । ଶେଷ ଜୀବନରେ ସେ ସାହିତ୍ୟ ସାଧାନାକୁ ନିଜ ଜୀବନର ବ୍ରତ ଭାବରେ ଗ୍ରହଣ କରି ନେଇ ବିଭାବନା ପତ୍ରିକା ମାଧ୍ୟମରେ ସାରା ରାଜ୍ୟରେ ସାହିତ୍ୟିକମାନଙ୍କୁ ସଂଗଠିତ କରିବାରେ ପ୍ରୟାସ କରିଥିଲେ ବୋଲି କହିଥିଲେ

ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସଂଘର ସଂପାଦକ ସତ୍ୟସ୍ୱରୂପ ଦାସ, ବିନୋଦ ମହାନ୍ତି, ଗଙ୍ଗାଧର ରାଉତ, ସରୋଜ ଶତପଥୀ, ଆଦିତ୍ୟ ପଣ୍ଡା, ସ୍ୱର୍ଣ୍ଣପ୍ରଭା ସେଠୀ, ନାରାୟଣ ପଟ୍ଟନାୟକ, ସର୍ବେଶ୍ୱର ବ୍ରହ୍ମ, ତାପସ ମହାନ୍ତି, ସୁଶାନ୍ତ ନନ୍ଦ, ସୌରଭ ବିଶ୍ୱାଳ, ପ୍ରିୟଦର୍ଶିନୀ ମହାପାତ୍ର, ଶୁଭମ ପାଣିଙ୍କ ସମେତ ବହୁ ସାମ୍ବାଦିକ ଯୋଗଦେଇ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ ଥିଲେ ।

   କବି ଅଥୟ କୁମାର ସାହୁଙ୍କ ସଂଯୋଜନା କରିଥିବାବେଳେ ଅରବିନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହ ତାଙ୍କ ଫଟୋଚିତ୍ରରେ ସାମ୍ବାଦିକମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Comments (0)
Add Comment