ଢେଙ୍କାନାଳ ଜିଲ୍ଲା ମୁକ୍ତ ଚେସ୍ ପ୍ରତିଯୋଗିତା ଉଦଯାପିତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓପନ୍ ଚେସ୍ ପ୍ରତିଯୋଗିତା ସ୍ଥାନୀୟ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଆଜି ଉଦଯାପିତ ହୋଇଯାଇଛି । ଉତ୍ସବରେ ସଂଘର ସଭାପତି ନବୀନ ଚନ୍ଦ୍ର ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ, ସମ୍ମାନିତ ଅତିଥି ଢେଙ୍କାନାଳ ଜିଲ୍ଲାପାଳ ସରୋଜ ସେଠୀ ଓ ଢେଙ୍କାନାଳ ରୋଟାରୀ କ୍ଲବ୍ର ସଭାପତି ବିଶ୍ୱଜିତ୍ ଦାସଗୁପ୍ତା ଯୋଗଦେଇ ପ୍ରତିଯୋଗୀ ତଥା ଶୁଭେଚ୍ଛୁମାନଙ୍କୁ ଉଦବୋଧନ କରିଥିଲେ ।
ଉକ୍ତ ସଭାରେ ସଂଘର କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ମହାନ୍ତିଙ୍କ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂଘର ସଂପାଦକ ଦେବବ୍ରତ ଭଟ୍ଟ ମ୍ୟାଚ୍ ବିବରଣୀ ଉପସ୍ଥାପନ କରିଥିଲେ । ସଂଘର ଉପସଭାପତି ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ଉକ୍ତ ପ୍ରତିଯୋଗିତାର ପ୍ରଥମ ୧୦ଜଣ କୃତୀ ପ୍ରତିଯୋଗୀଙ୍କ ମଧ୍ୟରୁ ପ୍ରଥମ ରୁ ତୃତୀୟଙ୍କୁ ଅର୍ଥ ଏବଂ ଟ୍ରଫି ତଥା ଅନ୍ୟ ୭ଜଣଙ୍କୁ କେବଳ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା ।

 ଏତଦ୍ବ୍ୟତୀତ ବୟସ ବର୍ଗରେ ୯ ବର୍ଷରୁ ୧୩ ବର୍ଷ ପର୍ଯ୍ୟନ୍ତ ଉଭୟ ବାଳକ ଓ ବାଳିକାମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଅଛି । ୬ରାଉଣ୍ଡ ବିଶିଷ୍ଟ ଉକ୍ତ ପ୍ରତିଯୋଗିତାରେ ସୂର୍ଯ୍ୟ ପ୍ରାଞ୍ଜଳ ଇନ୍ଦ୍ରଜିତ୍ ସର୍ବୋଚ୍ଚ ୫.୫   ରଖି ପ୍ରଥମ ସ୍ଥାନ, ସାଇସ୍ୱରୂପ ମିଶ୍ର ୫.୫ ପଏଣ୍ଟ ରଖି ଦ୍ୱିତୀୟ ସ୍ଥାନ, ପାଦିଲାନ୍ ୟଶୋବନ୍ତ ୫ ପଏଣ୍ଟ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସଂଘର ସ୍ୱତନ୍ତ୍ର ଜୁରାଙ୍କ ନିଷ୍ପତି କ୍ରମେ ପାର୍ବତୀ ଦତଙ୍କୁ ଏକ ସ୍ୱତନ୍ତ୍ର ପୁରସ୍କାର ଦିଆଯାଇଅଛି ।
କରୋନା ମହାମାରୀର ପ୍ରକୋପ ଯୋଗୁଁ ଦୀର୍ଘ ଦୁଇବର୍ଷର ବ୍ୟବଧାନ ପରେ ଅନୁଷ୍ଠିତ ହୋଇଥିବା ଉକ୍ତ ପ୍ରତିଯୋଗିତାକୁ ଆନ୍ତର୍ଜାତୀୟ ଆର୍ବିଟର୍ ତାପସ ମହାନ୍ତି ଏବଂ ସନ୍ତୋଷ ମହାପାତ୍ର ପରିଚାଳନା କରିଥିଲାବେଳେ ଢେଙ୍କାନାଳ ଚେସ୍ ସଂଘର ଯୁଗ୍ମ ସଂପାଦକ ଅଶୋକ ମିଶ୍ର, ସାଙ୍ଗଠନିକ ସଂପାଦକ ହେମନ୍ତ ଖଟୁଆ, ସଭ୍ୟ ହୃଦାନନ୍ଦ ମହାନ୍ତି, ସୁଶାନ୍ତ ଦାସ, ବିଶ୍ୱନାଥ ପଟ୍ଟନାୟକ, ଗୋପାଳ ପାତ୍ର, ସମ୍ବିତ୍ ଷଡଙ୍ଗୀ ସହାୟତା କରିଥିଲେ ।

Comments (0)
Add Comment